ପାଇପ ମରାମତି ପାଇଁ ଖୋଳିଥିଲା ଗାତ: ଗାତରେ ପଡି ଶିଶୁ ମୃତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଝଣଝଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମେଗା କମ୍ପାନୀର ଅପରିଣାମ ଦର୍ଶିତା ପାଇଁ ଚାଲି ଯାଇଛି ୨ବର୍ଷୀୟ ନିଷ୍ପାପ ଶିଶୁର ଜୀବନ। ଗାଁରେ ଲିକେଜ ପାଣି ପାଇପ ମରାମତି ପାଇଁ ମେଗା କମ୍ପାନୀ ଖୋଳିଥିବା ଗାତରେ ପଡି ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗତ ୫ବର୍ଷ ପୂର୍ବେ ଗାଁରେ ଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ଲିକ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ପାଇପ ଲିକେଜ ମରାମତି ପାଇଁ ରାସ୍ତା ମଝିରେ ଏକ ୫/୬ ଫୁଟ ଗଭୀରର ଏକ ଗାତ ଖୋଳିଦେଲେ। କିନ୍ତୁ ଆଉ ମରାମତି କଲେନି କି ଖାଲ ଟିକୁ ପୋତିଲେନି। ପାନୀୟଜଳ ପ୍ରବାହିତ ଯୋଗୁଁ ଖାଲଟି ସବୁବେଳେ ଜଳପୂର୍ଣ୍ଣ ହୋଇ ରହିଥାଏ। ଗତକାଲି ଅପରାହ୍ନରେ ଗ୍ରାମର ଅରୁଣ ଖଣ୍ଡେଇଙ୍କ ଦୁଇ ବର୍ଷର ପୁଅ ଅନିଲ ଖେଳୁ ଥିବା ବେଳେ ଅସାବଧାନତାରୁ ଏହି ଖାଲରେ ପଡିଯାଇଥିଲେ। ଅନେକ ଖୋଜା ଖୋଜି କରିବା ପରେ ସନ୍ଧ୍ୟାରେ ଶିଶୁର ମୃତଦେହ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନା କୁ ନିଆଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ କିଛି ମାସ ତଳେ ମୃତ ଶିଶୁର ବାପା ଅରୁଣ ଖଣ୍ଡେଇ ମଧ୍ୟ ସେହି ଖାତରେ ପଡି ଗୁରୁତର ହେବା ପରେ ମାନସିକ ସ୍ଥିତି ହରାଇ ଘରେ ବସି ରହିଛନ୍ତି। ମେଗା କମ୍ପାନୀ କର୍ତ୍ତୃପକ୍ଷ ମୃତ ଶିଶୁର ପରିବାରକୁ କ୍ଷତି ପୂରଣ ଦେବା ସହ ଖାଲକୁ ପୋତିବାକୁ ଗ୍ରାମର କନକ ଲତା ଜେନା, ମନୋଜ ପଣ୍ଡା, ବସନ୍ତ କୁମାର ଖଟୁଆ, ଯମୁନା ଖଣ୍ଡେଇ, ପୋକନୀ ନାଏକ, ଶୁକଦେବ ସେନାପତି, ସୁକାନ୍ତି ମଢେଇ, ଟୁନା ମଢେଇ ପ୍ରମୁଖ ଦାବି କରିଛନ୍ତି। ଅନ୍ୟ ପଟେ ମେଗା ୱାଟର ପ୍ରୋଜେକ୍ଟ କାମ କରୁଥିବା ଏନ ସିସି କର୍ତ୍ତୃପକ୍ଷ କହିଛନ୍ତି ଯେ ମରାମତି ପାଇଁ ଗାତ ଖୋଳାଯାଇ ଥିଲେବି ଗାଁ ଲୋକେ ଆଉ ପୋତିବାକୁ ଦେଇ ନଥିଲେ। ସେଠାରେ ସେମାନେ ଗାଧୁଆ ପାଧୁଆ କରିବାକୁ ସୁବିଧା ହେବାରୁ ଆମକୁ ବାରମ୍ବାର ଫେରାଇ ଦେଇଥିଲେ। ଆଜି ସନ୍ଧ୍ୟାରେ ମୃତ ଶିଶୁର ପରିବାରକୁ କ୍ଷତି ପୂରଣ ଦେବାକୁ ଯାଇଥିବା ବେଳେ ପରିବାର ଲୋକେ ଦୁଇ ଲକ୍ଷ ଟଙ୍କା ନେବାକୁ ରାଜି ହୋଇ ନଥିଲେ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ଫେରି ଆସିଥିବା ଜଣା ଯାଇଛି। ସେହିପରି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରି ତୁରନ୍ତ ଖାଲ କୁ ପୋତିବାକୁ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଛନ୍ତି। ମୃତ ଶିଶୁର ଶବ ବ୍ୟବଚ୍ଛେଦ ହୋଇ ଫେରିବା ପରେ ଶୋକାକୁଳ ପରିବେଶରେ ସତ୍କାର କରା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ