ତୁରନ୍ତ ଜୁଡ଼ିସିଆଲ୍ ହବ୍ ନିର୍ମାଣ ଦାବିରେ ଅକ୍ଟୋବର ୭ ସିଭିଲ୍ ସୋସାଇଟିର ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା): ପ୍ରସ୍ତାବିତ ଜୁଡ଼ିସିଆଲ୍ ହବ୍ ପୂର୍ବ ନିର୍ଦ୍ଧାରିତ ଜଳସେଚନ ବିଭାଗ ସ୍ଥାନରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦାବିରେ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ବୁଧବାର ଦିନ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୌରାଜଜ୍ଙ୍କୁ ଦାବିପତ୍ର ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୁଡ଼ିସିଆଲ୍ ହବ୍ ନିର୍ମାଣ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂହଙ୍କୁ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ସମେତ ଜ୍ୟୋତ୍ସ୍ନା ସେନାପତି ଓ ରଘୁନାଥ ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ। ସିଭିଲ୍ ସୋସାଇଟିର ପ୍ରତିନିଧିମାନେ କହିଥିଲେ ଯେ, ମାନ୍ୟବର ଓଡ଼ିଶା ହାଇକୋର୍ଟ ଓ ରାଜ୍ୟ ସରକାର ଜୁଡ଼ିସିଆଲ୍ ହବ୍ ନିର୍ଦ୍ଧାରିତ ଜଳସେଚନ ବିଭାଗ ସ୍ଥାନରେ ନିର୍ମାଣ କରିବା ପାଇଁ ବିବାଦୀୟ ଜମିକୁ ବାଦ୍ ଦେଇ ଜମି ହସ୍ତାନ୍ତର ପ୍ରକ୍ରିୟା ସମାପ୍ତ ହୋଇଛି ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ପୂର୍ବ ନିଷ୍ପତ୍ତି ଓ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ତୁରନ୍ତ ଆରମ୍ଭ କରନ୍ତୁ ବୋଲି ପ୍ରତିନିଧିମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଆସନ୍ତା ଅକ୍ଟୋବର ମାସ ୬ ତାରିଖ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ସିଭିଲ୍ ସୋସାଇଟି ଓ ବହୁ ସହଯୋଗୀ ସଂଗଠନ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ୭ ତାରିଖ ଦିନ ଗଣଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ସେମାନେ ଲିଖିତ ଭାବେ ଜଣାଇଛନ୍ତି। ଏହି ପ୍ରସ୍ତାବ ଉପରେ ଜିଲ୍ଲାପ୍ରଶାସନ ଅବଗତ ଥିବା ସଂପର୍କରେ ଶ୍ରୀ ସିଂହ ପ୍ରତିନିଧିମାନଙ୍କୁ କହିଥିବାର ଜଣାଯାଇଛି।


