ଏମଏମଡିଆରବିଲ ପ୍ରତ୍ୟାହାର ଦାବି ନେଇ ୨୯ ରେ ବିଧାନ ସଭା ଘେରାଉ
ବାଲେଶ୍ୱର (ସରୋଜ ପଣ୍ଡା): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଲେଶ୍ୱର ଜିଲ୍ଲା ପରିଷଦ ବୈଠକ ବାଲେଶ୍ୱର ସ୍ଥିତ ଉଠାଜଳ ସେଚନ କର୍ମଚାରୀ ଭବନରେ, ରାଜ୍ୟ ପରିଷଦ ସଦସ୍ୟ ମାୟାଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟ ସମ୍ବଳ ଖଣି ଓ ଖଣିଜ ସମ୍ପଦ ଭରା ପ୍ରାକୃତିକ ସମ୍ପଦ ତଥା ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତିମାନଙ୍କୁ କେନ୍ଦ୍ର ସରକାରଙ୍କର ଖଣି ଓ ଖଣିଜ ସମ୍ପଦ ଆଇନ ୨୦୨୬ ଦ୍ୱାରା ଉଦବାସ୍ତୁ କରାଇବା ସହ, ଓଡ଼ିଶା ସରକାରଙ୍କ ସିଂହ ଭାଗ ଆୟର ମୁଖ୍ୟ ଉତ୍ସ ଖଣିଜ ସମ୍ପଦରୁ ରାଜ୍ୟ ଲକ୍ଷ୍ୟ ଲକ୍ଷ୍ୟ କୋଟି ଟଙ୍କା ରାଜସ୍ୱ ହରାଇବ ବୋଲି ବୈଠକରେ ଯୋଗଦେଇ ରାଜ୍ୟ ସମ୍ପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ବେଆଇନ ଖଣିଜ ସମ୍ପଦ ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୨୯ ତାରିଖ ମଙ୍ଗଳବାର ଦିନ ବିଧାନ ସଭା ଘେରାଉକୁ ସଫଳ କରାଇବା ପାଇଁ, ବାଲେଶ୍ୱର ଜିଲ୍ଲାରୁ ଶତାଧିକ ସାଥୀ ସମର୍ଥକ ଯୋଗଦେବା ପଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଆଦିବାସୀ ଅଧ୍ୟୁଷିତ ପ୍ରାକୃତିକ ଖଣିଜ ସମ୍ପଦ ଭରା ଅଞ୍ଚଳକୁ ବେଦାନ୍ତ ଓ କର୍ପୋରେଟ ହାଉସ ମାନଙ୍କ ହାତରେ ସମର୍ପି ଦେବାର ଯୋଜନା ଅତ୍ୟନ୍ତ ନିନ୍ଦନୀୟ। ମହାନଦୀ ଜଳ ବିବାଦ ଡବଲ ଇଞ୍ଜିନ ସରକାର ଦୁଇବର୍ଷ ମଧ୍ୟରେ ସମାଧାନ କଲେନାହିଁ। ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକର ଚାଷଜମି ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେହେଁ ଅଦ୍ୟାବଧି କ୍ଷତିପୂରଣ ଦିଆଗଲା ନାହିଁ। କ୍ଷତିଗ୍ରସ୍ତ ଅଞ୍ଚଳରେ ବିକଳ୍ପ ଚାଷର ବ୍ୟବସ୍ଥା ପାଇଁ ରାଜ୍ୟ ସମ୍ପାଦକ ଦାବି କରିଥିଲେ। କୁଲଡିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ୍ ଜୋନ ସୀମା ନିର୍ଦ୍ଧାରଣ ବେଳେ ଶତାଧିକ ବର୍ଷର ଜନବସତି ଗ୍ରାମଗୁଡ଼ିକୁ ଇକୋ ସେନସିଟିଭ ଜୋନ ଅଞ୍ଚଳ ମଧ୍ୟରୁ ବାଦ ନଦେବା ଫଳରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ, ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବାସ୍ତବତା ଦୃଷ୍ଟିରୁ ଅଭୟାରଣ୍ୟ ପାଇଁ ଧାର୍ଯ୍ୟ ସୀମା ଆଇନ ଅନୁଯାୟୀ ଜନବସତି ଠାରୁ ୧୦ କିଲୋମିଟର ଦୂରରେ ଥିବା ନୀଳଗିରି, ଔପଦା ଏବଂ ସୋର ବ୍ଲକର କେତେକ ପଞ୍ଚାୟତର ଗ୍ରାମଗୁଡ଼ିକୁ ତୁରନ୍ତ ବାଦ ଦିଆଯାଇ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲା ସମ୍ପାଦକ ସାଥୀ ଭାଗବତ ପ୍ରତିହାରୀ ଦାବି କରିଥିଲେ। ବାଲେଶ୍ୱରରେ ପ୍ରସ୍ତାବିତ ଜୁଡ଼ିସିଆଲ ହବକୁ ପୂର୍ବ ନିର୍ଦ୍ଧାରିତ ଜଳସେଚନ ବିଭାଗ ସ୍ଥାନରେ ନିର୍ମାଣ କରାଯିବାକୁ କମ୍ୟୁନିଷ୍ଟ ପାର୍ଟି ତରଫରୁ ଦାବି କରାଯାଇଛି। ଏହି ଜିଲ୍ଲା ପରିଷଦ ବୈଠକରେ ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ, ନନ୍ଦ କିଶୋର ମହାଳିକ, ଯତୀନ ପାତ୍ର, ପ୍ରଭାବତୀ ଦାସ, ଶ୍ୟାମସୁନ୍ଦର ଜେନା, ସୁରେନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ, ଭଗବାନ ପଣ୍ଡା, ଭରତ ଚନ୍ଦ୍ର ସେଠି, ଗାୟତ୍ରୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାତ୍ର, ବାସନ୍ତୀ ନାୟକ, ଶରତ ଚନ୍ଦ୍ର ମହାନ୍ତି, ମନ୍ମଥ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଉତ୍କଳ ମହିଳା ସମିତି ଜିଲ୍ଲା ସମ୍ପାଦିକା ବନ୍ଦନା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।


