କେନ୍ଦ୍ରାପଡା ଛାତ୍ର ସଂସଦ ନିର୍ବାଚନର ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :୧୫ ଅକ୍ଟୋବରରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର. ଆୟର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ନିର୍ବାଚନ ପରିଚାଳନା, ସୁରକ୍ଷା ବ୍ୟବସ୍ଥା, ମତଦାନ ପ୍ରକ୍ରିୟାର ସୁପରିଚାଳନା ଏବଂ ମହାବିଦ୍ୟାଳୟ ପରିସରରେ ଆଇନଶୃଙ୍ଖଳା ବଜାୟ ରଖିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ନିର୍ବାଚନ ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ସହ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିର୍ବାଚନ ସମୟରେ ମହାବିଦ୍ୟାଳୟ ପରିସରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ନିର୍ବାଚନ ପରିଚାଳନାରେ ନିୟୋଜିତ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା ହୋଇଥିଲା। ଏଥିସହ ପ୍ରଶାସନ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ବାଚନ ପରିଚାଳନାର ସମସ୍ତ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା ଓ ଦାୟିତ୍ୱବୋଧର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା, ସଂଯମତା ଓ ପାରସ୍ପରିକ ସମ୍ମାନ ବଜାୟ ରଖିବା ସହ ଗଣତାନ୍ତ୍ରିକ ପଦ୍ଧତିରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଛି। ନିର୍ବାଚନ ସମୟରେ ଉତ୍ତେଜନା, ବିଶୃଙ୍ଖଳା କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସମସ୍ତ ସମ୍ପୃକ୍ତ ପକ୍ଷ ସତର୍କ ରହିବା ସହ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା ଆବଶ୍ୟକ। ଏକ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ନିର୍ବାଚନ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଛି। ଏହି ସମୀକ୍ଷା ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଉପସ୍ଥିତ ଥିଲେ।


