ଟିକିରିରେ ନୂଆ ବ୍ଲକ୍ ଓ ତହସିଲ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତାବ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡ଼ା ଜିଲ୍ଲାର ପ୍ରଶାସନିକ ମାନଚିତ୍ରରେ ହୋଇପାରେ ବଡ଼ ପରିବର୍ତ୍ତନ। ବିଭାଜିତ ହୋଇପାରେ ଜିଲ୍ଲାର ସର୍ବବୃହତ୍ ଗ୍ରାମୀଣ ବ୍ଲକ୍ କାଶୀପୁର। ବର୍ତ୍ତମାନର କାଶୀପୁର ବ୍ଲକ୍ ଓ ତହସିଲକୁ ଦୁଇ ଭାଗରେ ବିଭକ୍ତ କରି ନୂତନ ଟିକିରି ବ୍ଲକ୍ ଓ ତହସିଲ ଗଠନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। ଏନେଇ ନଭେମ୍ବର ୩ ତାରିଖ ୨୦୨୬ରେ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖାଯାଇଥିବା ବେଳେ ନଭେମ୍ବର ୫ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ମଧ୍ୟ ଏହାର ନକଲ ପଠାଯାଇଛି। ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ, ପ୍ରାୟ ୧୫୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ କାଶୀପୁର ବ୍ଲକ୍ରେ ପ୍ରାୟ ୧ ଲକ୍ଷ ୮୨ ହଜାର ଲୋକ ବସବାସ କରୁଥିବା ବେଳେ ଏହା ୨୪ଟି ଗ୍ରାମ ପଞ୍ଚାୟତ ଓ ୪୦୦ରୁ ଅଧିକ ରାଜସ୍ୱ ଗ୍ରାମକୁ ନେଇ ଗଠିତ। ବିଶାଳ ଭୌଗୋଳିକ ପରିସୀମା ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଯୋଗୁଁ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ସରକାରୀ ସେବା ପାଇଁ ବ୍ଲକ୍ ଓ ତହସିଲ ମୁଖ୍ୟାଳୟକୁ ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାରକମ୍ବା ଓ ସୁଙ୍ଗେର ଭଳି ଅଞ୍ଚଳରୁ ମୁଖ୍ୟାଳୟକୁ ପହଞ୍ଚିବା ପାଇଁ ଦୀର୍ଘ ସମୟ ଲାଗୁଥିବାରୁ ପ୍ରଶାସନିକ କାର୍ଯ୍ୟ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନରେ ବିଳମ୍ବ ହେଉଛି। ଏହାର ପ୍ରଭାବ ସ୍ୱାସ୍ଥ୍ୟ, ପୁଷ୍ଟି ଓ ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ପଡ଼ୁଛି। ପ୍ରସ୍ତାବରେ ଉଲ୍ଲେଖ ଅନୁଯାୟୀ, କାଶୀପୁର ବ୍ଲକ୍ରେ ୩୨୯ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ଏତେ ବଡ଼ ଅଞ୍ଚଳକୁ ଜଣେ ସିଡିପିଓ ଙ୍କ ଦ୍ୱାରା ତଦାରଖ କରିବା କଷ୍ଟକର ହେଉଛି। ପୋଷଣ ଟ୍ରାକର୍ରେ ରେକର୍ଡ ହୋଇଥିବା କୁପୋଷଣ ମାମଲା ମଧ୍ୟ ଚିନ୍ତାର ବିଷୟ ହୋଇଛି। ସେହିପରି ସମଗ୍ର ବ୍ଲକ୍ର ସ୍ୱାସ୍ଥ୍ୟସେବା ମୁଖ୍ୟତଃ କାଶୀପୁର ସିଏଚସି ଉପରେ ନିର୍ଭର କରୁଥିବାରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପ୍ରସବ ସେବା, ମ୍ୟାଲେରିଆ, ଯକ୍ଷ୍ମା, ମଧୁମେହ ଓ ଅନ୍ୟାନ୍ୟ ରୋଗର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଦୂରତା ବାଧକ ସାଜୁଛି। ଅନ୍ୟପଟେ କାଶୀପୁର ଏକ ପ୍ରମୁଖ ବକ୍ସାଇଟ୍ ଖଣି ଓ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାରେ ଖଣି ପ୍ରଭାବିତ ଲୋକଙ୍କ ସମସ୍ୟା, ବିସ୍ଥାପନ, ଜୀବିକା ଓ ମୌଳିକ ସୁବିଧା ଯୋଗାଣ ଭଳି ପ୍ରସଙ୍ଗରେ ଅଧିକ ପ୍ରଶାସନିକ ତଦାରଖର ଆବଶ୍ୟକତା ରହିଛି। ଉତ୍କଳ ଆଲୁମିନା ଇଣ୍ଡଷ୍ଟ୍ରିଜ୍ ଏବଂ ପ୍ରସ୍ତାବିତ ହିଣ୍ଡାଲକୋ ଆଲୁମିନା ରିଫାଇନାରୀ ଭଳି ଶିଳ୍ପ ପ୍ରକଳ୍ପ ଯୋଗୁଁ ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ହଜାର ହଜାର ଶ୍ରମିକ ଓ ଖଣି ପ୍ରଭାବିତ ପରିବାରଙ୍କ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଅଧିକ ସକ୍ଷମ କରିବା ଜରୁରୀ ବୋଲି ପ୍ରସ୍ତାବରେ ଦର୍ଶାଯାଇଛି। କୋଡିଙ୍ଗାମାଳି ଖଣି ପ୍ରଭାବିତ ଅଞ୍ଚଳ ବ୍ଲକ୍ ମୁଖ୍ୟାଳୟଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଥିବା ବେଳେ ସିଜିମାଳି ଅଞ୍ଚଳ ମଧ୍ୟ ଅନ୍ୟ ଦିଗରେ ଅବସ୍ଥିତ। ଫଳରେ ଏହି ଅଞ୍ଚଳଗୁଡ଼ିକରେ ପ୍ରଶାସନିକ ତଦାରଖ ଓ ଜନସେବା ପହଞ୍ଚାଇବା ଏକ ବଡ଼ ଆହ୍ୱାନ ହୋଇଛି। ଏସବୁ ସମସ୍ୟାର ସମାଧାନ ନିମନ୍ତେ ବର୍ତ୍ତମାନର ୨୪ଟି ଗ୍ରାମ ପଞ୍ଚାୟତକୁ ଉତ୍ତର ଓ ଦକ୍ଷିଣ ଭାଗରେ ୧୨ଟି ଲେଖାଏଁ ପଞ୍ଚାୟତରେ ବିଭକ୍ତ କରିବାକୁ ପ୍ରସ୍ତାବ ରହିଛି। ଉତ୍ତର ଭାଗର ୧୨ଟି ପଞ୍ଚାୟତକୁ ନେଇ କାଶୀପୁର ବ୍ଲକ୍ ରହିବାକୁ ଥିବା ବେଳେ ଦକ୍ଷିଣ ଭାଗର ୧୨ଟି ପଞ୍ଚାୟତକୁ ନେଇ ଟିକିରିକୁ ମୁଖ୍ୟାଳୟ କରି ନୂତନ ବ୍ଲକ୍ ଓ ତହସିଲ ଗଠନ ପାଇଁ ଜିଲ୍ଲାପାଳ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଗ୍ରାମ ପଞ୍ଚାୟତ ଓ RI ସର୍କଲ ଅନୁଯାୟୀ ଏକ ଅସ୍ଥାୟୀ ବିଭାଜନ ମାନଚିତ୍ର ମଧ୍ୟ ପ୍ରସ୍ତାବ ସହ ସଂଲଗ୍ନ କରାଯାଇଛି। ରାୟଗଡ଼ା ବନଖଣ୍ଡ ଅଧୀନରେ କାଶୀପୁର ଓ ଟିକିରି ବନାଞ୍ଚଳ ପୂର୍ବରୁ ପୃଥକ ଭାବେ ରହିଥିବା ବେଳେ କାଶୀପୁର, ଅଣ୍ଡିରାକଞ୍ଚ, ଟିକିରି ଓ ଦୋରାଗୁଡ଼ା ଥାନାର ବର୍ତ୍ତମାନର ବ୍ୟବସ୍ଥାକୁ ଅପରିବର୍ତ୍ତିତ ରଖିବାକୁ ମଧ୍ୟ ପ୍ରସ୍ତାବରେ ଉଲ୍ଲେଖ ରହିଛି। ତେବେ ଜିଲ୍ଲାପାଳଙ୍କ ଏହି ପ୍ରସ୍ତାବ ଏବେ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି। ସରକାରଙ୍କ ଅନୁମୋଦନ ପରେ ହିଁ ନୂତନ ଟିକିରି ବ୍ଲକ୍ ଓ ତହସିଲ ଗଠନ ନେଇ ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହେବ। ଯଦି ପ୍ରସ୍ତାବଟି ଅନୁମୋଦନ ଲାଭ କରେ, ତେବେ ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନିକ ସେବା ଅଧିକ ନିକଟରେ ମିଳିବା ସହ ସ୍ୱାସ୍ଥ୍ୟ, ପୁଷ୍ଟି, ରାଜସ୍ୱ ଓ ଉନ୍ନୟନମୂଳକ କାର୍ଯ୍ୟରେ ଗତି ଆସିବାର ଆଶା କରାଯାଉଛି।


