ଦିଗପହଣ୍ଡି ଥାନାର ମୋଷ୍ଟ ୱାଣ୍ଟେଡ ରାଜୀବ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ର ମୋଷ୍ଟ୍ ୱାଣ୍ଟେଡ ପଦ୍ମନାଭପୁର ଗ୍ରାମର କୁଖ୍ୟାତ ଏସ.ରାଜୀବ ରେଡ୍ଡୀ(୪୨) ଙ୍କୁ ୧ ବର୍ଷ ପରେ ଏକ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଥିବା ଦର୍ଶାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୦୫/୨୫ ବିଏନଏସ ର ଦଫା -୧୨୬(୨)/୧୧୫(୨)/୧୧୮(୧)/୧୦୯ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨୦୨୫ ଜୁନ୍ ୧୦ ତାରିଖରେ ରାଜୀବ ତାଙ୍କ ସାହି ପାଇପ୍ ରୁ ପାଣି ନେବାକୁ କେନ୍ଦ୍ରକରି ଜଣେ ବୃଦ୍ଧା ନର୍ମଦା ପାଢ଼ୀ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।ନର୍ମଦା ଏନେଇ ବ୍ରହ୍ମପୁରରେ ରହୁଥିବା ତାଙ୍କ ପୁଅ ରଞ୍ଜନ ପାଢ଼ୀ ଙ୍କୁ ଫୋନ ରେ ଜଣାଇଥିଲେ।ରଞ୍ଜନ ଗାଁ କୁ ଆସି ରାଜୀବ ଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଉତ୍ତେଜିତ ହୋଇ ଏକ ଛୁରୀ ରେ ତାଙ୍କ ମୁଣ୍ଡ କୁ ଭୁଷି ଦେଇଥିଲେ।ସେ ଚିତ୍କାର କରିବାରୁ ତାଙ୍କ ମା ନର୍ମଦା ଘଟଣାସ୍ଥଳ କୁ ଦୌଡ଼ି ଆସିବାରୁ ରାଜୀବ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।ପରେ ସେ ତାଙ୍କ ଘରକୁ ଯାଇ ଏକ ପନିକି ଆଣି ଉଭୟଙ୍କୁ ହାଣିବା କୁ ଉଦ୍ୟମ କରିଥିଲେ। ଉଭୟ ମା ଓ ପୁଅ ଙ୍କୁ ସାହି ବାସିନ୍ଦା ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ରଞ୍ଜନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲା କୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ରାଜୀବ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଗିରଫ ଭୟରେ ରାଜୀବ ଭୂବନେଶ୍ୱର ପଳାଇଥିଲେ। ସେ ଗାଁ କୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ସୋମବାର ରାତି ପ୍ରାୟ ୯ ଟାରେ ଅଭିଯୁକ୍ତଙ୍କୁ କୌଶଳକ୍ରମେ ଥାନାକୁ ଆଣି ଅଟକ ରଖିଥିଲେ।ଦିଗପହଣ୍ଡି ଥାନାରେ ଅଭିଯୁକ୍ତ ଙ୍କ ନାଁ ରେ ଏକାଧିକ ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ