ବାଲ୍ୟ ବିବାହ ନିଷେଧ ଅଧିନିୟମ ସମ୍ପର୍କରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବାଲ୍ୟ ବିବାହ ନିଷେଧ ଅଧିନିୟମ ସମ୍ପର୍କରେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଏକ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ଜିଲ୍ଲା ସଂଯୋଜକ ଲଲାଟେନ୍ଦୁ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ ଆଇନ ବିଶେଷଜ୍ଞ ଭାବେ ଯୋଗଦେଇ କହିଲେ ବାଲ୍ୟ ବିବାହ ସମାଜ ପାଇଁ କ୍ଷତିକାରକ। ଝିଅର ବୟସ ୧୮ବର୍ଷ ଓ ପୁଅର ବୟସ ୨୧ବର୍ଷ ହେଲେ ସେମାନେ ପରଷ୍ପର ସହିତ ବିବାହ କରିପାରିବେ। ଏହାଠୁ କମ ବୟସ ହୋଇଥିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଏଥିସହିତ ବାଲ୍ୟ ବିବାହ ନିଷେଧ ଆଇନର ବିଭିନ୍ନ ଧାରା ଉପରେ ସେ ବିଶେଷ ଭାବେ ଆଲୋଚନା କରିଥିଲେ। ପଞ୍ଚାୟତ ସ୍ତରରେ ଥିବା ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଏମପିଓ)ମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର ଅନ୍ୟତମ ପ୍ରଶିକ୍ଷକ ଭାବେ ଯୋଗଦେଇ ଜିଲ୍ଲାରେ ହେଉଥିବା କେତେକ ବାଲ୍ୟ ବିବାହ ସମ୍ପର୍କରେ କୈାଣସି ରିପୋର୍ଟ ହେଉନଥିବା ବେଳେ ପ୍ରକୃତ ଘଟଣା ସମ୍ପର୍କରେ କିଛି ଜଣାପଡୁନି। ତେଣୁ ଗ୍ରାମ୍ୟ ସୁରକ୍ଷା କମିଟି, ପଞ୍ଚାୟତ ସୁରକ୍ଷା କମିଟି ଗୁଡିକ ଏସମ୍ପର୍କରେ ଖବର ମିଳିଲେ ତୁରନ୍ତ ବ୍ଲକ ସୁରକ୍ଷା କମିଟିକୁ ଜଣାଇବା ସହ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପ୍ରୋଗ୍ରାମ ଅଫିସର ଭାରତୀ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହିଳା ସୁରକ୍ଷା ଅଧିକାରୀ ସବିତାରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀ, ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର, ଶକ୍ତିସଦନ, ୱାନଷ୍ଟପ ସେଣ୍ଟରର ପ୍ରତିନିଧିଙ୍କ ସମେତ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀନିବାସର ଅଧୀକ୍ଷିକା, ଚାଇଲ୍ଡ ଫଣ୍ଡ ଇଣ୍ଡିଆ ଓ ଉତ୍କଳ ସେବକ ସମାଜର ପ୍ରତିନିଧି, ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ