ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଆସିକା ତା ୧୯/୦୫ (ୱାଇଏନ୍ଏସ୍) ପେଟ୍ରୋଲ, ଡିଜେଲ୍, ସିଏନ୍ଜିର ମୂଲ୍ୟବୃଦ୍ଧି ସାଙ୍ଗକୁ ପ୍ୟାକେଟ୍ କ୍ଷୀର ଉପରେ ମୂଲ୍ୟ ବୃଦ୍ଧିକୁ ନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ସଭାପତି ଦଣ୍ଡପାଣି ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭ ଓ ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ସଂପାଦିକା ତଥା ସୁସଂଗଠିକା ସୁଦିପ୍ତା ଦାଶ, କଂଗ୍ରେସ ନେତା ସୁନାରାମ ସାବତ, ବବି ରଥ, ବିକ୍ରମ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ସାମିଲ୍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ତୈଳ ଦର ବୃଦ୍ଧି ପ୍ରତିବାଦରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅବସରରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ସଂପାଦିକା ତଥା ସୁସଂଗଠିକା ସୁଦିପ୍ତା ଦାଶ ପ୍ରକାଶ କରି କହିଛନ୍ତି ଯେ ଡିଜେଲ୍, ପେଟ୍ରୋଲ ଓ ସିଏନ୍ଜିର ମୂଲ୍ୟବୃଦ୍ଧି ପରେ ପରୋକ୍ଷ ଭାବେ ଏହାର ପ୍ରଭାବ ରୋଷେଇଶାଳ ଉପରେ ପଡିଥିବା ବେଳେ ଡିଜେଲ୍ର ମୂଲ୍ୟ ବୃଦ୍ଧି ଅଚାନକ ହେବା ପରେ ଗ୍ରୋସରି, ପନିପରିବା ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଦିନ ହେଲା ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଜନତା ଉବୁଟୁବୁ ହେଉଥିଲା ବେଳେ ବେଡି ଉପରେ କୋରଡା ମାଡ ପରି ଡିଜେଲ୍, ପେଟ୍ରୋଲ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅଧିକ କଷ୍ଟ ଦେଇଛି । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ଦୃଢ ଦାବୀ କରାଯାଇଥିଲା ।


