ଡେରିକି ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ: ଭିତ୍ତିପ୍ରସ୍ତର ସ୍ଥାପନକୁ ପୁରିଲା ୧୫ ମାସ, ଆରମ୍ଭ ହେଉନି କାର୍ଯ୍ୟ

ନାଉଗାଁ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଡେରିକି ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନକୁ ୧୫ ମାସ ପୁରିଲାଣି। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉନାହିଁ। ଉକ୍ତ ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧୀନରେ ରହିଛି। ଏହି ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଠିକାଦାର ଚୟନ କରାଯାଇଛି। ଏହି କାର୍ଯ୍ୟର ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ ତତ୍କାଳିନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ୨୦୨୪ ଫେବୃଆରି ୨୯ରେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ହେଲେ କାର୍ଯ୍ୟ ଆରମ୍ଭ କରାଯାଉନାହିଁ। ଯାହାଫଳରେ ବିଭାଗୀୟ ଅଧିକାରୀ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ବ୍ଳକର ୫ଟି ପଂଚାୟତର ଜନସାଧାରଣ ଜମିଜମା କାର୍ଯ୍ୟକୁ ନିର୍ଭର କରିଥାନ୍ତି। ବର୍ତମାନ କାର୍ଯ୍ୟାଳୟଟି ଗୋଟିଏ ମାତ୍ର ଗୃହରେ ଚାଲୁଥିବା ବେଳେ ଗୃହଟି ଅତ୍ୟନ୍ତ ଛୋଟ ଅଛି। ଏହି କାର୍ଯ୍ୟାଳୟରେ କମ୍ପ୍ୟୁଟର ସମେତ ବିଭିନ୍ନ ଆସବାବପତ୍ର ଓ ଆବଶ୍ୟକୀୟ କାଗଜପତ୍ର ରହୁଥିବା ବେଳେ ଜନସାଧାରଣ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କଲେ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଯାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ କରାଯିବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଭିତିପ୍ରସ୍ତର ସ୍ଥାପନ ପରେ ନୂତନ ଗୃହ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରୁ ଜବରଦଖଲକୁ ଉଚ୍ଛେଦ ମଧ୍ୟ କରାଯାଇଥିିଲା। ବର୍ତମାନ ଭିତିପ୍ରସ୍ତର ସ୍ଥାପନକୁ ୧୫ ମାସ ପୁରିଥିଲେ ମଧ୍ୟ କାର୍ଯ୍ୟ ନିର୍ମାଣରେ ବିଭାଗର ସ୍ଥାଣୁତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଉକ୍ତ ଗୃହକୁ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।ଏସଂପର୍କରେ ବିଭାଗୀୟ ଉପଖଣ୍ଡ ଯନ୍ତ୍ରୀ ଇଂ. ମଂଜୁଲତା ଟୁଡୁଙ୍କୁ ପଚାରିବାରେ ଜମିଜମା ବିବାଦ ହେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ