ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି
ଛତ୍ରପୁର, (ଓ୍ବାଇଏନଏସ): ଲଗାତାର ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀମାନେ ବ୍ୟାପକ ଫସଲ କ୍ଷତି ସହିବା ସହ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ଚାଷୀଙ୍କ ପୁନର୍ବାସ ଓ ଜୀବିକା ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ନିମନ୍ତେ ଏକ ସ୍ୱତନ୍ତ୍ର କୃଷି ପୁନର୍ବାସ ପ୍ୟାକେଜ୍ ଘୋଷଣା କରିବାକୁ ଋଷିକୁଲ୍ୟା ରୟତ ମହାସଭା ଓ ହାପିଦୁକାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏନେଇ ଉଭୟ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାରେ ଧାନ ଓ ଅନ୍ୟାନ୍ୟ ଶସ୍ୟ ସହ ପନିପରିବା, ଡାଲିଜାତୀୟ ଫସଲ, ତୈଳବୀଜ, ଫୁଲଚାଷ ଏବଂ ଉଦ୍ୟାନ କୃଷି ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥା, କୃଷି ଭିତ୍ତିଭୂମି ଓ ଚାଷ ଉପକରଣ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।
ଚାଷୀମାନେ ବିହନ, ସାର, ଶ୍ରମିକ ମଜୁରି ଓ ଜଳସେଚନ ପାଇଁ ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରିଥିବାବେଳେ ଫସଲ ନଷ୍ଟ ହେବାରୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଅନେକ ଚାଷୀଙ୍କ ଫସଲ ଅମଳ ସମୟ ପୂର୍ବରୁ ନଷ୍ଟ ହୋଇଥିବାରୁ ସେମାନେ ଋଣ ପରିଶୋଧ କରିବା ସହ ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ଅଛନ୍ତି। ଏହି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଆର୍ଥିକ ସହାୟତା, ଫସଲ କ୍ଷତିପୂରଣ, ପୁନଃଚାଷ ପାଇଁ ଅଧିକ ଇନ୍ପୁଟ୍ ସବ୍ସିଡି, ବିହନ, ସାର ଓ ଜୈବିକ ସାର ଯୋଗାଇବାକୁ ଦାବି ହୋଇଛି। ଏଥିସହ କୃଷି ଋଣ ପରିଶୋଧ ସମୟ ବୃଦ୍ଧି, ଋଣ ପୁନର୍ଗଠନ, ସୁଧ ରିହାତିରେ ନୂତନ ଫସଲ ଋଣ ପ୍ରଦାନ ଏବଂ ଯୋଗ୍ୟ ଚାଷୀଙ୍କୁ ଫସଲ ବୀମା ସହାୟତା ଦେବାକୁ ଅନୁରୋଧ କରାଯାଇଛି। ସେହିପରି ଫୁଲଚାଷୀ, ପନିପରିବା ଚାଷୀ ଓ ଉଦ୍ୟାନ କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ସହାୟତା, କ୍ଷତିଗ୍ରସ୍ତ ବଗିଚାର ପୁନରୁଦ୍ଧାର, ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ଏବଂ କମ୍ ଖର୍ଚ୍ଚରେ ଫସଲ ସୁରକ୍ଷା ଭିତ୍ତିଭୂମି ନିର୍ମାଣ ପାଇଁ ସବ୍ସିଡି ଦେବାକୁ ଦାବି ହୋଇଛି। କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ଶୀତଳଭଣ୍ଡାର, ପରିବହନ, ବଜାର ସଂଯୋଗ ଓ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ)କୁ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚାଷ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରଭାବିତ ପରିବାରଙ୍କୁ ନିଯୁକ୍ତି ସୁଯୋଗ, ପଶୁପାଳନ, କୁକୁଡ଼ାଚାଷ, ମତ୍ସ୍ୟଚାଷ, କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିକଳ୍ପ ଜୀବିକା ଯୋଗାଇବାକୁ ମଧ୍ୟ ଦାବି କରାଯାଇଛି। ଏଥିସହ ଜିଲ୍ଲାପାଳଙ୍କ ନେତୃତ୍ୱରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓରମାସ୍, ନାବାର୍ଡ, ବ୍ୟାଙ୍କ, ଏଫ୍ପିଓ ଏବଂ ଚାଷୀ ସଂଗଠନକୁ ନେଇ ‘ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର କୃଷି ପୁନର୍ବାସ ମିଶନ’ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ମିଶନ ମାଧ୍ୟମରେ ବ୍ଲକ୍ ଓ ଗ୍ରାମୱାରୀ ଫସଲ କ୍ଷୟକ୍ଷତିର ଆକଳନ, କ୍ଷତିଗ୍ରସ୍ତ ଚାଷୀଙ୍କ ଚିହ୍ନଟ ଏବଂ ସ୍ୱଚ୍ଛତାର ସହ ନିର୍ଦ୍ଧାରିତ ସମୟରେ କ୍ଷତିପୂରଣ ବଣ୍ଟନ ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଶେଷକରି ଭାଗଚାଷୀ, ଭାଗୀଦାର ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ଋଷିକୁଲ୍ୟା ରୟତ ମହାସଭା ଚାଷୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବାବେଳେ ହାପିଦୁକାନ୍ କୃଷି ବଜାରୀକରଣ, ପ୍ରାକୃତିକ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି କ୍ଷେତ୍ରରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି। ଚାଷୀଙ୍କୁ କେବଳ ତତ୍କାଳ କ୍ଷତିପୂରଣ ନୁହେଁ, ବରଂ ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା ଓ କୃଷିର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବାକୁ ସଂଗଠନ ଦ୍ୱୟ ଅନୁରୋଧ କରିଛନ୍ତି। ଏନେଇ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏବଂ ହାପିଦୁକାନ୍ର ନିର୍ଦ୍ଦେଶକ ଏ. ସଞ୍ଜୀବ ରେଡ୍ଡୀ ଏକ ପ୍ରେସ ବିବୃତି ଯୋଗେ ସୂଚନା ଦେଇଛନ୍ତି l


