ଲିଙ୍ଗିପୁର ଗ୍ରାମରେ ବାରାହା ଉପଦ୍ରବରେ ବହୁ ଧାନଜମିର ଫସଲ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମରେ ବାରାହା ଉପଦ୍ରବ ଯୋଗୁଁ ଅଞ୍ଚଳର ପ୍ରାୟ ସମସ୍ତ ଧାନ ଜମିର ଧାନ ଫସଲ ନଷ୍ଟ ହେବାରେ ଲାଗିଛି. ଗତ ଅର୍ଣ୍ଣବ ବାତ୍ୟାଜନିତ ବର୍ଷା ଓ ବନ୍ୟାରେ 50 ଭାଗ ଧାନ ଫସଲ ଉଜୁଡି ଯାଇଥିଲା. ବଳକା ରହିଥିବା ଧାନ ଫସଲକୁ ରାତି ହେଲେ ଜଙ୍ଗଲରୁ ବାରହାପଲ ଆସି ଧାନକୁ ଚୋବାଇ ଖାଇବା ସହ ଧାନଜମିରେ ଉପଦ୍ରବ କରି ଫସଲକୁ ନଷ୍ଟ କରିଚାଲିଛନ୍ତି. ଘଟଣା ନେଇ ଏହି ଅଞ୍ଚଳର ସମାଜସେବୀ ଲୋଲାସିଭା କହିଛନ୍ତି ବନବିଭାଗକୁ ଜଣାଇବା ପରେ ବନ କର୍ମଚାରୀମାନେ ଆସି ବାରହା ଉପଦ୍ରବ ଯୋଗୁଁ ଧାନ ଫସଲ କ୍ଷତି ହେଉଥିବା ଦେଖି ଫେରିଛନ୍ତି. ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଯୋଗୁଁ ଲଗାତାର ଭାବେ ଜଙ୍ଗଲରୁ ବାରହାମାନେ ଆସି ଧାନ ଫସଲକୁ ନଷ୍ଟ କରୁଛନ୍ତି. ବାରହାମାନଙ୍କ ଏହି ଉପଦ୍ରବକୁ ରୋକିବା ପାଇଁ ଚାଷୀମାନେ ରାତ୍ର ଉଜାଗର ରହି ଧାନଜମି ନିକଟରେ ଜଗି ରହୁଥିଲେ ସୁଦ୍ଧା କିଛି ଦୂରରେ ଥିବା ଧାନ ଜମି ଗୁଡିକରେ ବାରହାମାନେ ପହଞ୍ଚି ଧାନ ଫସଲ ନଷ୍ଟ କରୁଛନ୍ତି. ତେଣୁ ପ୍ରଶାସନ ବାରହା ଉପଦ୍ରବରୁ ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି.


