ବାବନପୁର ଗ୍ରାମର ପ୍ରସିଦ୍ଧ ସଂକ୍ରାନ୍ତି ମେରୁ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରସିଦ୍ଧ ଦଣ୍ଡନାଚର ମାସନ୍ତ ମେରୁଯାତ୍ରା ଗତକାଲି ଉଦ୍ଯାପିତ ହୋଇଥିବା ବେଳେ ମଙ୍ଗଳବାର ବାବନପୁର ସମେତ ଅନ୍ୟ କେତେକ ଦଣ୍ଡଦଳର ସଂକ୍ରାନ୍ତି ମେରୁଯାତ୍ରା ଉଦ୍ଯାପିତ ହୋଇଯାଇଛି । ପ୍ରଚଣ୍ଡ ଖରା ସତ୍ତ୍ୱେ ମଙ୍ଗଳବାର ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ମେରୁଯାତ୍ରା ଦେଖିବା ପାଇଁ ବାବନପୁର ଗ୍ରାମରେ ପ୍ରବଳ ଜନଗହଳି ଲାଗି ରହିଥିଲା । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ପ୍ରସିଦ୍ଧ ଦଣ୍ଡଯାତ୍ରାର ମଙ୍ଗଳବାର ଥିଲା ଅନ୍ତିମ ଦିବସ । ଗତ ମାର୍ଚ୍ଚ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ବାବନପୁର ଗ୍ରାମର ପ୍ରସିଦ୍ଧ ୧୮ ଦିନିଆ ଦଣ୍ଡ ଯାତ୍ରାର ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଥିଲା । ବାବନପୁର ଗ୍ରାମର ପ୍ରସିଦ୍ଧ ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ଶତାଧିକ ମାନସିକଧାରୀ ଦଣ୍ଡୁଆ ଦୀର୍ଘ ୧୮ ଦିନ ବ୍ୟାପି ବିଭିନ୍ନ ଗ୍ରାମରେ ଦଣ୍ଡ ବିଧାନ ଅନୂଯାୟୀ ଦଣ୍ଡଯାତ୍ରା ପରିବେଷଣ କରିବା ପରେ ମଙ୍ଗଳବାର ପୂର୍ବାହ୍ନରେ ବାବନପୁର ଗ୍ରାମକୁ ଫେରିଥିଲେ । ବାବନପୁର ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମର ହନୁମାନ ମନ୍ଦିର ନିକଟରେ ଘଣ୍ଟମୃଦଙ୍ଗ ବଜାଇ ଦଣ୍ଡଦଳକୁ ବରଣ କରି ନିଆଯିବା ପରେ ଦଣ୍ଡଦଳ ଗ୍ରାମର ବଡଦାଣ୍ଡସାହି, ପାଟଣାସାହି, କୁମ୍ଭାରସାହି, ତଳସାହି, ଆଡୁଆସାହି, ହରିଜନ ବସ୍ତି, ଜଗାଳିସାହି, ଖଦାଳସାହି, ରୋଡ୍ସାହି ପରିକ୍ରମା କରିଥିଲେ । ଗ୍ରାମବାସୀମାନେ ନିଜ ନିଜ ଘରର ଦୁଆର ମୁହଁରେ ପୂର୍ଣ୍ଣକୁମ୍ଭ ବାଢି ଦଣ୍ଡ ଦଳକୁ ସ୍ୱାଗତ କରିଥିବା ବେଳେ ବାବନପୁର ଗ୍ରାମରେ ସଂକ୍ରାନ୍ତି ମେରୁ ସଂକ୍ରାନ୍ତି ଅବସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମେରୁ ସଂକ୍ରାନ୍ତି ଅବସରରେ ଗ୍ରାମରେ ମାନସିକଧାରୀ ଦଣ୍ଡୁଆମାନେ ହାଇସ୍କୁଲ ରୋଡର ମାନସିକଧାରୀ ଭକ୍ତ ମନୋଜ କୁମାର ସାହୁ ଓ ତାଙ୍କ ସହଧର୍ମିଣୀ ରଂଜିତା ସାହୁଙ୍କ ବାସଭବନ ନିକଟରେ ପ୍ରଥମେ ଧୂଳିଦଣ୍ଡ ଓ ଗ୍ରାମ ପୋଖରୀରେ ପାଣିଦଣ୍ଡ ଭାଙ୍ଗିଥିଲେ ପରେ ଶିବ ମନ୍ଦିରସାହି ନିକଟସ୍ଥ ଲୋକନାଥ ମନ୍ଦିର ପାଶ୍ୱର୍ରେ ଥିବା ଦଣ୍ଡକାଳୀ ମନ୍ଦିରର ମେରୁମଣ୍ଡପରେ ମେରୁପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଥିଲା । ଶ୍ରଦ୍ଧାଳୁ ମହିଳାମାନଙ୍କ ହୁଳହୁଳି ଧ୍ୱନି ସାଙ୍ଗକୁ ଢୋଲ, ମହୁରୀ ଶବ୍ଦରେ ମେରୁ ମଣ୍ଡପ ପ୍ରକମ୍ପିତ ହୋଇ ପଡିଥିଲା । ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହାନ ସାମାଜିକ ନାଟକ “ଦରିଆ କୁଳର ଦରଦି ବନ୍ଧୁ” ଗ୍ରାମର ଅଭିଜ୍ଞ କଳାକାର ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ବାବନପୁର ଗ୍ରାମର ପ୍ରସିଦ୍ଧ ଦଣ୍ଡପର୍ବ ଓ ମେରୁଯାତ୍ରାକୁ ବିଧିବିଧାନ ଅନୁଯାୟୀ ସଂପନ୍ନ କରିବା ଦିଗରେ ଆଧ୍ୟାତ୍ମିିକପ୍ରେମୀ ଅନିଲ୍ କୁମାର ନାୟକ, ସୁନିଲ୍ କୁମାର ନାୟକ, ରନିଲ୍ କୁମାର ନାୟକ, କୈଳାଶ ବାଡତ୍ୟା, ବାବୁ ମୁନି, ସୁଶାନ୍ତ କୁମାର ନାୟକ, ବାବୁରାମ ଜେନା, ଟୁକୁନା ଗୌଡ, ବିଜୟ ଗୌଡ, ଗୋପାଳ ଗୌଡ, ସିଲୁ ଗୌଡ, ରାଜୁ ଗୌଡ, ମାନସ ରଂଜନ ଗୌଡ, ଯୋଗୀ ଗୌଡ, ପ୍ରଦୀପ କୁମାର ନାୟକ, ବିପିନ୍ ବିହାରୀ ନାୟକ, ଦିଲୀପ କୁମାର ନାୟକଙ୍କ ସମେତ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମରେ ପବିତ୍ର ସଂକ୍ରାନ୍ତି ମେରୁ ଅବସରରେ ମା ଦଣ୍ଡକାଳୀଙ୍କ ଭକ୍ତି ଓ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା ମଙ୍ଗଳବାର ଶେଷ ହୋଇଯାଇଛି । ଆଜି ଅନୁଷ୍ଠିତ ପବିତ୍ର ସଂକ୍ରାନ୍ତି ମେରୁ ଯାତ୍ରାରେ ଗ୍ରାମର ମେରୁ ମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ଢୋଲ, ଘଣ୍ଟ ଓ ହୁଳହୁଳି ଶବ୍ଦ ସାଙ୍ଗକୁ ଜୟ ରୁଦ୍ରକାଳୀ, ଶ୍ରୀ ଶ୍ରୀ କଳାରୁଦ୍ରମଣିଙ୍କୁ ଭଜ ହେ ଧ୍ୱନୀରେ ଗ୍ରାମ ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ସୁରକ୍ଷା ଦୃଷ୍ଟିରୁ କୋଟିନଡା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା ।


