ଦେବସ୍ନାନ ପୁର୍ଣିମା : ଠାକୁରଙ୍କ ଗଜାନନ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଉପାନ୍ତର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ଠାରେ ଆଜି ଦେବସ୍ନାନ ପୁର୍ଣିମା ମହାସମାରୋହରେ ଅତ୍ୟନ୍ତ ଭକ୍ତିପୂତ ଭାବେ ଅନୁଷ୍ଠିତ ହୋଇଯାଇଛି. ଆଜି ସକାଳ ସମୟରେ 108 ରୁ ଉର୍ଦ୍ଧ ମାଠିଆ ଗଙ୍ଗାଜଳ ହଜାର ହଜାର ପଇଡ଼ ଆଦିରେ ତିନି ଠାକୁରଙ୍କୁ ଦେବସ୍ନାନ ମଣ୍ଡପରେ ସ୍ନାନ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଥିଲା. ସନ୍ଧ୍ୟା ସମୟରେ ଠାକୁରଙ୍କୁ ଗଜାନନ ଅବତାରରେ ଅତ୍ୟନ୍ତ ଆକଷଣୀୟ ଭାବେ ଅଳଙ୍କୃତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା. ପାରଳା ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ ନିରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଞ୍ଜୟ ପାଢ଼ୀ ପ୍ରମୁଖ କହିଛନ୍ତି, ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବସ୍ନାନ ପୁର୍ଣିମାର ନୀତି ନିୟମ ଅନୁଯାୟୀ ପୂଜାପାଠ କରାଯାଇ ତିନି ଠାକୁରଙ୍କୁ ଅତ୍ୟନ୍ତ ଭକ୍ତିପୂତ ଭାବେ ସ୍ନାନ କରାଯାଇ ପଞ୍ଚାମୃତ ପ୍ରଦାନ ସହ ଚନ୍ଦନ ଲାଗି ହୋଇ ମହାପ୍ରଭୁଙ୍କୁ ସାଧାରଣଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଥିଲା. ଆଜି ପାଗ ଅନୁକୂଳ ଥିବା ଯୋଗୁଁ ଦେବସ୍ନାନ ପୁର୍ଣିମା ଓ ଠାକୁରଙ୍କ ଗଜାନନ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା. ଶାନ୍ତି ଶୃଙ୍ଖଳାର ସହ ସ୍ନାନ ଯାତ୍ରା ସମାପନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।


