ଆସିକାରେ ପିଜି ପାଠ୍ୟକ୍ରମ ଖୋଲିବାରେ ବିଳମ୍ବ : ଛାତ୍ରଛାତ୍ରୀଙ୍କ ଭରସା ବିଶ୍ୱବିଦ୍ୟାଳୟ
ଆସିକା (ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ରୂପେ ଆସିକାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଆସିକା ଅଞ୍ଚଳରେ ବହୁ ପୁରାତନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଥିଲା ବେଳେ ଏହିସବୁ ଶିକ୍ଷାନୁଷ୍ଠାନରୁ ପାଠପଢି ବହୁ ମେଧାବୀ ବିଦ୍ୟାର୍ଥୀ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିବାରେ ସକ୍ଷମ ହୋଇପାରିଥିବା ନଜିର୍ ରହିଛି । ତେବେ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହେଉଛି ଅଧିକାଂଶ ମହାବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ପିଜି ପାଠ୍ୟକ୍ରମ ଖୋଲିପାରୁ ନାହିଁ । ଯାହାରି ଫଳରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବ୍ରହ୍ମପୁୁର ବିଶ୍ୱବିଦ୍ୟାଳୟ କିମ୍ବା ଜିଲ୍ଲା ତଥା ଜିଲ୍ଲା ବାହାରର କେତେକ ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରି ପାଠପଢିବାକୁ ବାଧ୍ୟ ହେଉଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସ୍ୱଚ୍ଛଳ ବର୍ଗର ଆଗ୍ରହୀ ଛାତ୍ରଛାତ୍ରୀମାନେ ଅନ୍ୟତ୍ର ପିଜି ପାଠ୍ୟକ୍ରମରେ ନାମ ଲେଖାଉଥିଲା ବେଳେ ଗରୀବ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଚର୍ଚ୍ଚା ହେଉଛି । ଆସିକା ଅଞ୍ଚଳରେ ଆସିକା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ, ନିରଞ୍ଜନ ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟ, କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ସ୍ନାତକ ମହାବିଦ୍ୟାଳୟ ଓ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ରହିଥିଲା ବେଳେ ଏହିସବୁ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ନାତକ ଡିଗ୍ରୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି । କିନ୍ତୁ କୌଣସି ମହାବିଦ୍ୟାଳୟରେ ସ୍ନାତକୋତ୍ତର ତଥା ପିଜି ପାଠ୍ୟକ୍ରମ ବର୍ତ୍ତମାନ ସୁଦ୍ଧା ଖୋଲାଯାଇପାରି ନାହିଁ । ଯାହାରି ଫଳରେ ଆଗ୍ରହୀ ବିଦ୍ୟାର୍ଥୀମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତି । ସେହିପରି କିଛି ବିଦ୍ୟାର୍ଥୀ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଥିବା ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଥିବା ଷ୍ଟଡି ସେଣ୍ଟରରେ ପିଜି ଶିକ୍ଷା ଗ୍ରହଣ କରୁଥିବା ଜଣାପଡିଛି । ତେବେ ନିରଞ୍ଜନ ସରକାରୀ ସ୍ନାତକ ମହିଳା ମହାବିଦ୍ୟାଳୟରେ ନିୟମିତ ଶିକ୍ଷାଦାନର ବ୍ୟବସ୍ଥା ନଥିବା ଜଣାପଡିଛି । ଆସିକା ଅଞ୍ଚଳରେ ପିଜି ପାଠ୍ୟକ୍ରମରେ ନିୟମିତ ଶିକ୍ଷାଦାନର ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କ୍ଷେତ୍ରରେ ବିଶେଷ ଉପକୃତ ହୋଇପାରିଥାନ୍ତେ ବୋଲି ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ୍ଙ୍କ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିବା ବିଦ୍ୟାର୍ଥୀମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆସିକା ନିରଞ୍ଜନ ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମୀକୁ ଆହୁରି ସୁଦୃଢ କରି ଆବଶ୍ୟକୀୟ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶୈକ୍ଷିକ କର୍ମଚାରୀ ନିଯୁକ୍ତି କରି ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବରିଷ୍ଠ ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


