ବାତ୍ୟା ପରବର୍ତୀ ବନ୍ୟା ପରିଚାଳନାରେ ଅବହେଳା: ଦୁଇ କର୍ମଚାରୀ ନିଲମ୍ବିତ
ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ତିନିଜଣ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରେ ଜଣେ ମାର୍କେଟିଂ ଇନ୍ସପେକ୍ଟର ଓ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ନିଲମ୍ବନ କରାଯାଇଥିବାବେଳେ ଅନ୍ୟ ଜଣେ ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ପୁରୁଷୋତ୍ତମପୁର ବ୍ଲକ ଅନ୍ତରିଗାଁ ପଞ୍ଚାୟତର ପିଇଓ ସତ୍ୟନାରାୟଣ ପଣ୍ଡାଙ୍କୁ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିଚାଳନା ଦାୟିତ୍ୱରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି। ସେହିପରି ଧରାକୋଟ ବ୍ଲକର ମାର୍କେଟିଂ ଇନ୍ସପେକ୍ଟର ବାଳକୃଷ୍ଣ ନାୟକଙ୍କୁ ମଧ୍ୟ ସମାନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷରେ, ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ପଞ୍ଚାୟତର ପିଇଓ ଅନୁଜ ଗୌଡ଼ଙ୍କୁ ପରିଚାଳନା କାର୍ଯ୍ୟରେ ଅବହେଳା ନେଇ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିପର୍ଯ୍ୟୟ ସମୟରେ ସରକାରୀ ଦାୟିତ୍ୱ ନିର୍ବାହରେ ଅବହେଳାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଥିବା ଏହି କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହୋଇଛି।


