ଫସଲ କ୍ଷତି ଆକଳନ ଓ କ୍ଷତିପୂରଣ ପ୍ରଦାନ ଦାବି
ଛତ୍ରପୁର(ଓ୍ବାଇଏନଏସ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲ୍ଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି ଓଡ଼ିଶା କୃଷକ ସଭା। ବୁଧବାର ଓଡିଶା କୃଷକ ସଭାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଚାଷୀମାନେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ଷାଜଳ ଜମି ରହିବା ଯୋଗୁଁ ଧାନ ଫସଲ ପଚି ନଷ୍ଟ ହୋଇଥିବା ବେଳେ କେତେକ ବ୍ଲକରେ ରୁଆ ଧାନ ଧୋଇଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି। କ୍ଷୟକ୍ଷତିର ଆକଳନ କରି ଧାନ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଏବଂ ପନିପରିବା ଚାଷୀଙ୍କୁ ଏକର ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଏଥିସହ ଧାନ ଫସଲରେ ଲାଗିଥିବା ବିଭିନ୍ନ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ମାଗଣା କୀଟନାଶକ ଔଷଧ ଯୋଗାଣ, ରବି ଫସଲ ପାଇଁ ଋଣ, ବିହନ, ସାର ଓ ଔଷଧ ଯୋଗାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ମାଧ୍ୟମରେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି। ସେହିପରି କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ କ୍ଷୟକ୍ଷତି ଆକଳନ କରି ଡଙ୍ଗା ଓ ଜାଲ ପାଇଁ ଆର୍ଥିକ ସହାୟତା, ଭାଙ୍ଗିଯାଇଥିବା ଘର ପାଇଁ କ୍ଷତିପୂରଣ ଏବଂ ଯୋଗ୍ୟ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ମଧ୍ୟ ଦାବି ହୋଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଯୋଗେଶ ଚନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ସ୍ୱାଇଁ,ଭୀମ ପ୍ରଧାନ, ଏସ. ରବୀନ୍ଦ୍ର ନାଥ ଅଚାରୀପଦ୍ମନାଭ ପ୍ରଧାନ, ବିରଞ୍ଚି ନାରାୟଣ ସ୍ୱାଇଁ ଓ କେ. ନିରଞ୍ଜନ ପ୍ରଧାନ ଙ୍କ ସମେତ କୃଷକ ସଭାର ବହୁ ଚାଷୀ ମାନେ ଉପସ୍ଥିତ ଥିଲେ।


