ଆବର୍ଜନା ଡ୍ରେନକୁ ମଧ୍ୟ ସଫେଇ ପାଇଁ ଦାବି
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବଜାରରେ ଦୀର୍ଘ ଦିନ ଧରି ଅଳିଆ ଓ ଆବର୍ଜନାରେ ଭର୍ତ୍ତି ଡ୍ରେନ୍ ଏବଂ ଆବର୍ଜନା କୁଣ୍ଡ ଜନସାଧାରଣଙ୍କ ପାଇଁ ମୁଖ୍ୟ ଅସନ୍ତୋଷର କାରଣ ହୋଇଥିଲା। ଆନନ୍ଦ ବଜାର, ହାଟ ଛକ, କାଳିକା ଛକ, ଚଣ୍ଡୀ ଛକ, ପୁରୁଣା ବସଷ୍ଟାଣ୍ଡ ଏବଂ ବଙ୍ଗାଳ ଛକ ଅଞ୍ଚଳରେ ଜମା ହୋଇଥିବା ଆବର୍ଜନା ଯୋଗୁଁ ଦୁର୍ଗନ୍ଧ ଓ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିଲା। ସାମାନ୍ୟ ବର୍ଷାରେ ଡ୍ରେନ୍ ଜାମ ହୋଇ ରାସ୍ତାରେ ଅଳିଆ ଭାସୁଥିବା ଦୃଶ୍ୟ ଏକ ନିୟମିତ ଘଟଣା ହୋଇପଡ଼ିଥିଲା। ଏହା ସହିତ ଜାତୀୟ ରାଜପଥ ପାର୍ଶ୍ୱରେ ଅଳିଆ ଡମ୍ପିଂୟାର୍ଡ଼ ପାଲଟିଥିବା ଅଭିଯୋଗ ମଧ୍ୟ ଉଠିଥିଲା। ବେତନଟୀ ବ୍ଲକ ମିଡିଆ ଆସୋସିଏସନ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ସମସ୍ୟା ନେଇ ବାରମ୍ବାର ବିଡିଓଙ୍କୁ ଅଭିଯୋଗ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ବିଡିଓ ସୁଶାନ୍ତ କୁମାର ସୁତାର ବର୍ଷା ପୂର୍ବରୁ ସଫେଇ କାର୍ଯ୍ୟ ହେବ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ତାହା ଧୁଁଆ ବାଣ ଥିଲା କୌଣସି କାର୍ଯ୍ୟ ଆଗକୁ ବଢ଼ିନଥିଲା। ଏହା ଯୋଗୁଁ ହୋଇଜା, ଡାଇରିଆ, ଝାଡ଼ା ଓ ବାନ୍ତି ଭଳି ମହାମାରୀର ଆଶଙ୍କା ବୃଦ୍ଧି ପାଉଥିଲା।ବେତନଟୀ ବ୍ଲକ ମିଡିଆ ଆସୋସିଏସନ ଦ୍ୱାରା ଏହି ସମସ୍ୟା ସମ୍ପର୍କିତ ଖବର ବାରମ୍ବାର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନର ନିଦ ଭାଙ୍ଗିଲା ଓ ତତ୍କାଳ ପ୍ରଭାଵରେ ଆବର୍ଜନା କୁଣ୍ଡର ସଫେଇ କାମ ଆରମ୍ଭ ହେଲା। ଖବରର ପ୍ରଭାବରେ ବେତନଟୀ ବଜାରରେ ଆବର୍ଜନା କୁଣ୍ଡ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ମଠସାହି, ହାଟ ଛକ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆବର୍ଜନା କୁଣ୍ଡଗୁଡ଼ିକୁ ପରିଷ୍କାର କରାଯାଉଛି। ଜାତୀୟ ରାଜପଥ ପାର୍ଶ୍ୱରେ ଅଳିଆ ପକାଉଥିବା ଅସାମାଜିକ ଦୋକାନୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଛି। ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ତାସହିତ ପ୍ରଶ୍ନ କରିଛନ୍ତି ଡ୍ରେନ ସଫେଇ କେବେ ହେବ ଏବଂ ବେତନଟୀ ବ୍ଲକ ମିଡିଆ ଆସୋସିଏସନର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେମାନେ କହିଛନ୍ତି ଯେ, ଏହି ପଦକ୍ଷେପ ବେତନଟୀର ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ କରିବାରେ ସହାୟକ ହେବ। ତେବେ, ସଫେଇ କାର୍ଯ୍ୟକୁ ନିୟମିତ କରିବା ଏବଂ ମହାମାରୀ ଆଶଙ୍କାକୁ ରୋକିବା ପାଇଁ ପ୍ରଶାସନର ଦୀର୍ଘକାଳୀନ ଯୋଜନାର ଆବଶ୍ୟକତା ରହିଛି। ଡ୍ରେନ୍ ସଫେଇ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ତେବେ, ଆବର୍ଜନା କୁଣ୍ଡ ସଫେଇ ଆରମ୍ଭ ହେବା ପରେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ଡ୍ରେନ୍ ସଫେଇ କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ସଫେଇ ଅଭିଯାନ ଜାରି ରହିଲେ ବେତନଟୀ ପୁଣି ଥରେ ଏକ ସ୍ୱଚ୍ଛ ଓ ସୁନ୍ଦର ବଜାର ଭାବେ ନିଜର ପୂର୍ବ ପରିଚୟ ଫେରାଇ ଆଣିବ ବୋଲି ସାଧାରଣରେ ଆଶା ଜାଗିଛି।