ଗୋପାଳପୁର ଭାୟା ଦିଗପହଣ୍ଡି ରାୟଗଡ଼ା ନୂତନ ରେଳଲାଇନ୍ ପାଇଁ ଦାବୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷୀତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ  ଭାଜପା ନେତୃତ୍ଵାଧୀନ  ସରକାର ଆସିବା ପରେ ଗଞ୍ଜାମ ଜିଲା  ଚିକିଟି ନିକଟ ବାହୁଦା ନଦୀ ମୁହାଣରେ  ପ୍ରସ୍ତାବିତ ବୃହତ ବନ୍ଦର ନିର୍ମାଣ ନିମନ୍ତେ ରାଜ୍ୟସରକାରଙ୍କ ମଞ୍ଜୁରୀ ମିଳିଛି। ବାହୁଦା ବନ୍ଦର ସହ ଗୋପାଳପୁର ବନ୍ଦର ଏବଂ ଦକ୍ଷିଣ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାର ଖଣିଜ ସମୃଦ୍ଧ ଅଞ୍ଚଳରେ ନୂତନ ରେଳ ଲାଇନ୍ ନିର୍ମାଣ କରାଯିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ସମିତି ପକ୍ଷରୁ ଦାବୀ କରାଯାଇଛି। ଗତ ୨୦୧୦ ରେ ଏହି ଆଲାଇନମେଣ୍ଟ ରେ ସର୍ଭେ କରାଯାଇ  ଗୋପାଳପୁର ଠାରୁ ରାୟଗଡ଼ା ର ଦୂରତା ୨୦୭ କିମି ଆକଳନ କରାଯାଇଥିଲା। ଏବେ ପୁଣି ଏହାକୁ ଦାୟିତ୍ୱରେ ଥିବା କେତେକ ଆନ୍ଧ୍ର ଅଧିକାରୀ ଓଡ଼ିଶା ପ୍ରତି ଅସହିନଷ୍ଟୁ ମନୋଭାବ ପ୍ରଦର୍ଶନ ପୂର୍ବକ  ଏହି ପ୍ରସ୍ତାବିତ ରେଳ ଲାଇନ ର ଗତି ପଥ କୁ ବଙ୍କା ଟଙ୍କା କରି ୨୬୦ କିମି କରି ଦୂରତା ବଢାଇବା ଦ୍ବାରା  ସିଙ୍ଗାପୁର ରୁ ମାଲବାହୀ ଟ୍ରେନ୍ ବାହୁଦା ବା ଗୋପାଳପୁର ବନ୍ଦର ପରିବର୍ତ୍ତେ ବିଶାଖାପାଟଣା ଯିବ। ଫଳରେ ଗଞ୍ଜାମ, ମୋହନା, ପଦ୍ମପୁର ଓ ଗୁଡାରି ଅଞ୍ଚଳରେ ନିଯୁକ୍ତି ର ସମ୍ଭାବନା କମିଯିବ। ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଆଲାଇନମେଣ୍ଟ କୁ କାର୍ଯ୍ଯକାରୀ କରି ଗୁଣପୁର ରୁ ପଦ୍ମପୁର କୁ ମାତ୍ର ୨୦ କିମି ସଂଯୋଗ କରିଦେଲେ ଗୁଣପୁର ରୁ ଥେରୁବାଲି ଯାଏଁ ଏହା ଆପେ ସଂଯୋଗ ହୋଇଯିବ। ଗୁଣପୁର ରୁ ରାମନାଗୁଡା ଦେଇ ଥେରୁବାଲି ୭୮କିମି ର ଆବଶ୍ଯକ ପଡିବ ନାହିଁ।ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ରେଳ ଲାଇନ ପ୍ରତିଯୋଗିତାମୂଳକ ଏବଂ ନିରବଚ୍ଛିନ୍ନ ମାଲ୍ ପରିବହନ ନିଶ୍ଚିତ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଗୋପାଳପୁର – ରାୟଗଡ଼ା ନୂତନ ରେଳପଥ ନିମନ୍ତେ ଚୂଡ଼ାନ୍ତ ଆଲାଇନମେଣ୍ଟ ପାଇଁ ସର୍ଭେ କାର୍ଯ୍ୟ ଚଳାଇଛନ୍ତି, ଏହା ଦ୍ବାରା ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ସର୍ଭେ କରାଯାଉଥିବା ରେଳ ଲାଇନ୍ ଟି ଅଧିକ ଦୂରତା , ବଙ୍କା ଏବଂ ଏଥିରେ ଅନେକ ସୁଡ଼ଙ୍ଗ ସ୍ଥାନ ପାଇଛି।ଯାହା ଫଳରେ ପ୍ରକଳ୍ପର ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି ପାଇବାର  ଆଶଙ୍କା ରହିଛି । ପୁଞ୍ଜି ବ୍ୟୟ ବୃଦ୍ଧି ଯୋଗୁଁ ଏହି ରେଳ ଲାଇନ୍  ଦୀର୍ଘକାଳୀନ ଆର୍ଥିକ ବ୍ୟବହାର୍ଯ୍ୟତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏହି ଦୀର୍ଘ ରେଳ ପଥ ରାୟଗଡ଼ା ଅଞ୍ଚଳକୁ ସେବା ଯୋଗାଉଥିବା ଅନ୍ୟାନ୍ୟ ମାଲ୍ ପରିବହନ କରିଡର ତୁଳନାରେ ଏହି ରୁଟକୁ କମ୍ ପ୍ରତିଯୋଗିତାମୂଳକ କରିବ।
ରାଜ୍ୟ ସରକାର, ରେଳବାଇ କର୍ତ୍ତୃପକ୍ଷ  ପ୍ରସ୍ତାବିତ ବାହୁଦା ବନ୍ଦରର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ରେଳ ଲାଇନ୍ ଆଲାଇନମେଣ୍ଟର ପୁନଃ ସର୍ଭେ ଓ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ସର୍ଦାପୁର-ରାମନାଗୁଡା,ବାଙ୍କିଲି କରିଡର  ଅନୁଯାୟୀ ସର୍ଦାପୁରରୁ ଏହି ପ୍ରସ୍ତାବିତ ରେଳ ଲାଇନକୁ ପଦ୍ମପୁର ଏବଂ ଗୁଡାରୀ ମଧ୍ୟ ଦେଇ ରାମନାଗୁଡା କିମ୍ବା ବାଙ୍କିଲି କୁ ସଂଯୋଗ କରାଗଲେ ଏହା କମ୍ ଦୂରତା ବିଶିଷ୍ଟ ଏବଂ ସିଧା ରୁଟ୍ ହେବ। ଏଥିରେ ମୁଖ୍ୟତଃ ସରକାରୀ ଜମି ଅଧିଗ୍ରହଣ ହେବାକୁ ଥିବାରୁ ପ୍ରକଳ୍ପ ନିର୍ମାଣରେ ଜମି ଅଧିଗ୍ରହଣ ଖର୍ଚ୍ଚ ଏବଂ ସମୟ ହ୍ରାସ ହୋଇପାରିବ। ଏହା ଦ୍ବାରା ପଦ୍ମପୁର ଏବଂ ଗୁଡାରୀ ଅଞ୍ଚଳ ବାସିନ୍ଦା  ଉପକୃତ ହୋଇପାରିବେ।ବାଙ୍କିଲି ଠାରୁ ରାୟଗଡ଼ା ମାତ୍ର ୩୦ କିଲୋମିଟର ଦୂର। କିନ୍ତୁ ବର୍ତ୍ତମାନ ଆଲାଇନମେଣ୍ଟ ସର୍ଭେ ଅନୁଯାୟୀ ରେଳ ଲାଇନ୍ ଦୁର୍ଗୀ ଦେଇ ଯାଉଥିବାରୁ ପ୍ରାୟ ୫୦ କିଲୋମିଟର ଅତିରିକ୍ତ ଦୂରତା ବୃଦ୍ଧି ପାଇବ। ଅଯଥା ଏହି ଦୂରତା ବୃଦ୍ଧି ଯୋଗୁଁ ବିଭାଗୀୟ ପରିଚାଳନା ଦକ୍ଷତା ଏବଂ ପ୍ରତିଯୋଗିତାମୂଳକତାକୁ ପ୍ରଭାବିତ କରିବ ବୋଲି ଜଣାପଡିଛି।
ଗଜପତି ଜିଲା ଚାନ୍ଦିପୁଟ ନିକଟରେ ଆବଶ୍ୟକ ସୁଡ଼ଙ୍ଗକୁ ଏଡାଇବା ପାଇଁ ରେଳ ଲାଇନକୁ ଚାନ୍ଦିପୁଟ ନିକଟସ୍ଥ ପାର୍ବତ୍ୟ ଉପତ୍ୟକା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ସହ ଦିଗପହଣ୍ଡି ସହରକୁ ସଂଯୋଗ କରାଯାଇପାରିବ। ଯାହାଫଳରେ ଏହି ଆଲାଇନମେଣ୍ଟ ରେ ପ୍ରସ୍ତାବିତ ସୁଡ଼ଙ୍ଗକୁ ଏଡାଇ ଦେବ ଏବଂ ରେଳ ଲାଇନ୍ ନିର୍ମାଣ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିପାରିବ।ବ୍ରହ୍ମପୁର ରେଳ ଷ୍ଟେସନକୁ ବାଇପାସ୍ କରି ଏହି ରେଳ ଲାଇନ୍ ସିଧାସଳଖ ଚିକିଟି ନିକଟସ୍ଥ ପ୍ରସ୍ତାବିତ ବାହୁଦା ବନ୍ଦରକୁ ସଂଯୋଗ ହୋଇପାରିବ।  ବ୍ରହ୍ମପୁର ରିଙ୍ଗ ରୋଡ୍ ଦେଇ ଲାଞ୍ଜିଆରୁ ହଳଦିଆପଦର ନିକଟରେ ଚେନ୍ନାଇ-ହାୱଡ଼ା ମୁଖ୍ୟ ରେଳ ଲାଇନରେ ମିଶିବା ପାଇଁ ଏକ ବ୍ୟବହାର୍ଯ୍ୟ ରୁଟ୍ ରହିଛି। ଫଳରେ ବ୍ରହ୍ମପୁର ରେଲୱେ ଷ୍ଟେସନରେ ଭିଡ଼କୁ ରୋକାଯାଇ ବାହୁଦା ବନ୍ଦରକୁ ମାଲ୍ ପରିବହନ ସହଜ ହୋଇପାରିବ।  ପ୍ରାରମ୍ଭିକ ସର୍ଭେରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ଏହି ବିକଳ୍ପଗୁଡ଼ିକର ପୁନଃ ସମୀକ୍ଷା କରାଗଲେ  ରାଷ୍ଟ୍ରୀୟ ସ୍ୱାର୍ଥ ସାଧିତ ହେବା ସହ ଓଡ଼ିଶାର ବନ୍ଦର ଭିତ୍ତିଭୂମିକୁ ସହାୟତା ମିଳିବ ଏବଂ ନୂତନ ରେଳ ଲାଇନ ଦ୍ଵାରା ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶ ସାଙ୍ଗକୁ ବ୍ୟବସାୟିକ ସଫଳତା ବୃଦ୍ଧି ପାଇବ।
ତେଣୁ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଲାଇନମେଣ୍ଟର  ପୁନଃ ସର୍ଭେ ପରୀକ୍ଷଣ କରାଯିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ସମିତି ର ସଭାପତି ତଥା ପୂର୍ବତନ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ଏବଂ ଦିଗପହଣ୍ଡି ଅଞ୍ଚଳବାସୀ ଙ୍କ ସମେତ ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଜନସାଧାରଣ ପୂର୍ବତଟ ରେଲୱେ ମୁଖ୍ୟ ପ୍ରବନ୍ଧକ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ