ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୁରଣ ପାଇଁ ଦାବୀ
ପାତ୍ରପୁର,(ୱାଇ ଏନ ଏସ): ପାତ୍ରପୁର ବ୍ଲକ ବାଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ଦୀର୍ଘଦିନ ଧରି ୧୧ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ କରି ଅଭିଭାବକମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ମଙ୍ଗଳବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅଭିଭାବକ ବୈଠକରେ ଏହି ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଅଭିଭାବକଙ୍କ ପକ୍ଷରୁ ସୁରେଶ ଚନ୍ଦ୍ର ଦ୍ୟାନ ସାମନ୍ତରା କହିଥିଲେ ଯେ, ପାତ୍ରପୁର ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଏହି ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ରହିବା ଚିନ୍ତାର ବିଷୟ। ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ୁଥିବାରୁ ଶୀଘ୍ର ଖାଲି ପଦବୀ ପୂରଣ କରିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଅଭିଭାବକମାନେ ଖାଲି ପଦବୀ ଶୀଘ୍ର ପୂରଣ ନହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ରବି ତିଆଡ଼ି, ରାମନାଥ ପାଣିଗ୍ରାହୀ, ଶଙ୍କର ମହାନ୍ତି, ରାମଗୋପାଳ ପାଢ଼ୀ, ଚିତ୍ତରଞ୍ଜନ ସାହୁ, ଟିଟୁ ପଣ୍ଡା, ପାପରାଓ ରେଡ୍ଡୀଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ।


