ମେରୁ ପର୍ବରେ ମହାମାୟୀ ମା’କାଳୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ
ଆସିକା (ୱାଇଏନ୍ଏସ୍) :ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ମହାମାୟୀ ମା’ କାଳୀ ପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇପଡିଥିବା ବେଳେ ମାସନ୍ତ ମେରୁପର୍ବ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବା ଲକ୍ଷ୍ୟ କରାଯାଇଛି । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ରାଜ୍ୟ ଓଡିଶାରେ ବାର ମାସରେ ତେର ପର୍ବ କାହିଁ କେଉଁ ଆବାହମାନ କାଳରୁ ପାଳିତ ହୋଇ ଆସୁଥିବା ବେଳେ ଚୈତ୍ର ମାସର ଶେଷ ଓ ବୈଶାଖ ମାସର ପ୍ରାରମ୍ଭକୁ ମେରୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ । ଏହି ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ ଓ ୧୩ ଦିନ ପୂର୍ବରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ଦଣ୍ଡଯାତ୍ରା ସାମିଲ ହୋଇ ପ୍ରତ୍ୟେକ ମୁହୁର୍ତ୍ତ କଠିନ ପରୀକ୍ଷାର ସମ୍ମୁଖୀନ ହେବା ସହ ନିଷ୍ଠା, ଏକାଗ୍ରତାରେ ହାତରେ ବାନା, ପିଞ୍ଛମୁଠା, ପରଭା, ଦଣ୍ଡ, ହରପାର୍ବତୀଙ୍କ ମୂର୍ତ୍ତି, ଢୋଲ, ମହୁରୀ ଓ ଘଣ୍ଟର ଧ୍ୱନୀରେ ଗଗନପବନ ପ୍ରକମ୍ପିତ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦଣ୍ଡ ପରିବେଷଣ କରିବା ପରେ ଆଜି ମାସନ୍ତ ମେରୁରେ ଆସିକା ଅଞ୍ଚଳରେ କେଉଁ ଯୁଗରୁ ଥିବା ଆସିକା ଦଣ୍ଡଦଳ, କାଳଷଣ୍ଢପୁର ଦଣ୍ଡଦଳ, ଚିନିଶିଳ୍ପ ନୂଆଗାଁ ଦଣ୍ଡଦଳ ଓ ଖାରିଆ ଦଣ୍ଡଦଳର ଦଣ୍ଡନୃତ୍ୟ ଶେଷ ହୋଇଯାଇଛି । ମାନସିକଧାରୀ ଦଣ୍ଡଭୁକ୍ତା ମାନଙ୍କୁ ନିଜ ଶ୍ରଦ୍ଧାଳୁ ଆଧ୍ୟାତ୍ମିକପ୍ରେମୀ ଭକ୍ତମାନେ ବରଣ କରିବା ପରେ ଦଣ୍ଡଦଳ ସାହିବସ୍ତି ପରିକ୍ରମା କରି ପ୍ରଚଣ୍ଡ ଖରାରେ ଧୂଳିଦଣ୍ଡ ପାଣିଦଣ୍ଡରେ ସାମିଲ ହେବା ପରେ ମେରୁମଣ୍ଡପରେ ଏକତ୍ରିତ ହୋଇଥିଲେ । ମେରୁ ମଣ୍ଡପରେ ଢୋଲ, ମହୁରୀ, ଓ ଘଣ୍ଟର ତାଳେତାଳେ ଝୁଣା ମାଧ୍ୟମରେ ଜଣେ ଦଣ୍ଡୁଆଙ୍କୁ ଅଗ୍ନିରେ ମହାମାୟୀ ମା’ କାଳୀଙ୍କୁ ଆବାହନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ଯେପରି ମେରୁମଣ୍ଡପର ଦୃଶ୍ୟ ସୁବିଧାରେ ଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ବେଳେ ଖରାର ପ୍ରକୋପ ସତ୍ତ୍ୱେ ପବିତ୍ର ମାସନ୍ତ ମେରୁପର୍ବ ଉତ୍ସବରେ ଯୋଗଦେବାକୁ ପ୍ରତ୍ୟୁଷରୁ ଅପରାହ୍ନ ପର୍ଯ୍ୟନ୍ତ ମହାମାୟୀ ମା’ କାଳୀପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତିର ପ୍ରତୀକ ଭାବେ ହରପାର୍ବତୀ ଓ ମା’ କାଳୀଙ୍କୁ ମାନସିକଧାରୀ ଦଣ୍ଡୁଆମାନେ ଗତ ୧୩ ଦିନ ଧରି ନିଷ୍ଠାପର ସାଧନା ଓ କଠିନ ଉପାସନା ସହକାରେ ପରମ୍ପରା ଅନୁଯାୟୀ ଦଣ୍ଡଯାତ୍ରାରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ମନ୍ଦିର ଗୁଡିକରେ ସାନ୍ଧ୍ୟ ଆଳତୀ ସଂପନ୍ନ ପରେ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ ଏବଂ କୋଟିନଡା ଥାନା ଅଧିକାରୀ ଦାମୋଦର ଦେହୁରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ ଥିବା ଲକ୍ଷ୍ୟ କରାଯାଇଥିଲା । ସଂସ୍କୃତି ସଂପନ୍ନ ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରମୁଖ ଆସିକା ଅଞ୍ଚଳର ପାରମ୍ପରିକ ୧୩ଦିନିଆ ଦଣ୍ଡ ଯାତ୍ରାକୁ ସୁପରିଚାଳନା କରିବା ଦିଗରେ ବିଭିନ୍ନ ଦଣ୍ଡଦଳର ପରିଚାଳନା କମିଟି ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରିଥିଲେ । ଦୀର୍ଘ ୧୩ଦିନ ଧରି ଦଣ୍ଡଦଳର ମାନସିକଧାରୀ ଋଷିପୁତ୍ରଗଣ କଷବସ୍ତ୍ର ପରିଧାନ କରି ନିଷ୍ଠାର ସହ ରହି ଗାଁ ଗଣ୍ଡାକୁ ବୁଲି ଦଣ୍ଡନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା ।


