ଶାନ୍ତି କମିଟି ଫଟୋକୁ ନେଇ ଡିଜିଟାଲ୍ କାରସାଦି, ଥାନାରେ ମାମଲା
ଧାମନଗର (ଓ୍ବାଇଏନଏସ): ଶାନ୍ତି କମିଟି ବୈଠକର ଫଟୋକୁ ବିକୃତ କରି ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବାକୁ ଉଦ୍ୟମ ଅଭିଯୋଗ। ମୂଳ ଫଟୋରେ ଥିବା ବ୍ୟକ୍ତିଙ୍କ ପୋଷାକ ଓ ଟୋପିକୁ ଡିଜିଟାଲ୍ ମାଧ୍ୟମରେ ବଦଳାଇ ଗେରୁଆ ଟୋପି ଲଗାଇ ସୋସିଆଲ୍ ମିଡିଆରେ ପ୍ରଚାର କରାଯାଇଥିବା ନେଇ ଧାମନଗର ଥାନାରେ ଏତଲା ହୋଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ କେସ୍ ନଂ ୪୬୭/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ସୂଚନା ଅନୁଯାୟୀ,ଗତ ଅକ୍ଟୋବର ୯ ତାରିଖରେ ଆଗାମୀ ପର୍ବପର୍ବାଣୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ଧାମନଗର ବ୍ଲକ ସଭାଗୃହରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା। ତେବେ ଉକ୍ତ ବୈଠକର ଫଟୋକୁ ବିକୃତ କରାଯାଇ କିଛି ସଦସ୍ୟଙ୍କ ପୋଷାକ ଓ ଟୋପି ପରିବର୍ତ୍ତନ କରି ଫେସ୍ବୁକ୍ରେ ପ୍ରସାର କରାଯାଇଥିବା ଏତଲାରେ ଦର୍ଶାଯାଇଛି।’ମୁସଲମାନ କା ଆୱାଜ’ ନାମକ ଏକ ଫେସ୍ବୁକ୍ ପେଜ୍ରେ ଏହି ବିକୃତ ଫଟୋ ପୋଷ୍ଟ ହୋଇଥିବା ବେଳେ ଏଥିରେ ଏକ ହ୍ୱାଟ୍ସଆପ୍ ନମ୍ବରର ବ୍ୟବହାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏପରି କାର୍ଯ୍ୟ ଦ୍ୱାରା ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଥିବା ଅଭିଯୋଗକାରୀମାନେ କହିଛନ୍ତି। ଶାନ୍ତି କମିଟିର ଅନ୍ୟ ସଦସ୍ୟମାନେ ମିଳିତ ଭାବେ ଧାମନଗର ଥାନାରେ ଏତଲା ଦେଇଛନ୍ତି। ଏହାକୁ ଆଧାର କରି ବିଏନ୍ଏସ୍ର ଧାରା ୧୯୬(୧), ୨୯୯, ୩୫୩(୨) ଓ ୩୫୬(୩)ରେ ମାମଲା ରୁଜୁ ହୋଇଛି। ତେବେ ଆଇଆଇସି ଶୁଭ୍ରଜିତ ଦାଶ ନିଜେ ଏହି ମାମଲାର ତଦନ୍ତ କରୁଛନ୍ତି ଏବଂ ଖୁବ୍ଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶଙ୍କ ଠାରୁ ସୂଚନା ମିଳିଛି


