ହାଟଡିହି ବ୍ଲକରେ ଆବାସ ଯୋଜନା ତାଲିକାକୁ ନେଇ ବଢ଼ୁଛି ଅସନ୍ତୋଷ
ହାଟଡିହି, (ଓ୍ବାଇଏନଏସ) : ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ହାଟଡିହି ବ୍ଲକରେ ଏହି ଯୋଜନାର ହିତାଧିକାରୀ ଚୟନ ତାଲିକାକୁ ନେଇ ଏବେ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବାବେଳେ ଅନେକ ଅଯୋଗ୍ୟ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବା ନେଇ ଅଭିଯୋଗ ଉଠିଛି। ଫଳରେ ଆବାସ ଯୋଜନାକୁ ନେଇ ବ୍ଲକରେ ଦିନକୁ ଦିନ ଜନଅସନ୍ତୋଷ ବଢ଼ିବା ସହ ଆଗାମୀ ଦିନରେ ଏହା ଏକ ବଡ଼ ପ୍ରଶାସନିକ ସମସ୍ୟାର ରୂପ ନେବା ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ହାଟଡିହି ବ୍ଲକର ୩୧ଟି ପଞ୍ଚାୟତରେ ଆବାସ ଯୋଜନା ପାଇଁ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ମୋଟ ୧୬,୨୭୭ଜଣ ଆବେଦନ କରିଥିଲେ। ଆବେଦନଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପରେ ସର୍ଭେ କରାଯାଇ ୫,୭୬୩ ଜଣଙ୍କୁ ଅଯୋଗ୍ୟ ଦର୍ଶାଇ ତାଲିକାରୁ ବାଦ୍ ଦିଆଯାଇଥିବାବେଳେ ୧୦,୫୧୪ ଜଣଙ୍କୁ ଯୋଗ୍ୟ ଭାବେ ଚିହ୍ନଟ କରାଯାଇଥିଲା। ଏଥିପାଇଁ ପ୍ରତି ପଞ୍ଚାୟତରେ ତିନି ଜଣ ଲେଖାଏଁ କର୍ମଚାରୀ ଘରକୁ ଘର ବୁଲି ସର୍ଭେ କରିବା ସହ ଆବେଦନକାରୀଙ୍କ ପ୍ରକୃତ ଅବସ୍ଥା ଯାଞ୍ଚ କରି ହିତାଧିକାରୀ ଚୟନ କରିଥିଲେ। କିନ୍ତୁ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପରେ ପ୍ରକାଶିତ ତାଲିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତାଲିକାରେ ଅନେକ ଅଯୋଗ୍ୟ ବ୍ୟକ୍ତି ସ୍ଥାନ ପାଇଥିବାବେଳେ ପ୍ରକୃତ ଗରିବ ଓ ଘର ପାଇବାକୁ ଯୋଗ୍ୟ ପରିବାର ବାଦ୍ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ଦେଖାଦେବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଦ୍ୱିତୀୟ ଥର ପାଇଁ ସର୍ଭେ କରାଯାଇଥିଲା। ତେବେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେକୁ ନେଇ ମଧ୍ୟ ବିବାଦ ଥମିନଥିଲା। ଅଭିଯୋଗ ଅନୁଯାୟୀ, ସର୍ଭେରେ ସାମିଲ ଥିବା କିଛି କର୍ମଚାରୀ ଏହାର ସୁଯୋଗ ନେଇ ଅଯୋଗ୍ୟ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ସେମାନଙ୍କ ନାମ ଯୋଗ୍ୟ ତାଲିକାରେ ସାମିଲ କରିଥିବା ଅଭିଯୋଗ ଉଠିଥିଲା । ଅଭିଯୋଗ ଅନୁଯାୟୀ, ପୂର୍ବରୁ ଦୁଇରୁ ତିନିଟି ଆବାସ ଯୋଜନାରେ ଘର ପାଇଥିବା କିଛି ପରିବାର, ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ବ୍ୟକ୍ତି, ସରକାରୀ କର୍ମଚାରୀ, ଡାକ୍ତରଙ୍କ ପରିବାର ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ନାମ ମଧ୍ୟ ଯୋଗ୍ୟ ତାଲିକାରେ ରହିଥିଲା । ଏପରିକି କେତେକଙ୍କର ବଡ଼ ବଡ଼ ଅଟ୍ଟାଳିକା ଓ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଥିବା ସତ୍ତ୍ୱେ ସେମାନଙ୍କ ନାମ ଆବାସ ତାଲିକାରେ ସାମିଲ ହୋଇଥିବାନେଇ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ, ଅନଲାଇନ୍ରେ ପ୍ରକାଶିତ ତାଲିକାରେ ୧୧ ହଜାରରୁ ଊର୍ଦ୍ଧ୍ୱ ନାମ ଥିବା ଜଣାପଡ଼ିବା ପରେ ବିଭିନ୍ନ ପଞ୍ଚାୟତର ଲୋକେ ନିଜ ନିଜ ଅଭିଯୋଗ ନେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି। କିଏ ନିଜ ନାମ ତାଲିକାରେ ନଥିବା ନେଇ ଅଭିଯୋଗ କରୁଛନ୍ତି ତ ଆଉ କିଏ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସାମିଲ ହୋଇଥିବା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏନେଇ ବିଡିଓଙ୍କ ନିକଟରେ ମଧ୍ୟ ଅନେକ ଅଭିଯୋଗ ପହଞ୍ଚିଥିବା ଜଣାପଡ଼ିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଏବେ ତୃତୀୟ ଥର ପାଇଁ ପୁନର୍ବାର ସର୍ଭେ ଆରମ୍ଭ କରାଯାଇଛି। ଏଥିପାଇଁ ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ବିଭିନ୍ନ ଟିମ୍ରେ ବିଭକ୍ତ କରାଯାଇଛି। ପ୍ରତି ଟିମ୍ରେ ପାଞ୍ଚରୁ ଛଅ ଜଣ କର୍ମଚାରୀ ରହି ଗାଁ ଗାଁ ବୁଲି ଆବେଦନକାରୀଙ୍କ ଘର, ପରିବାରର ସ୍ଥିତି ଓ ଆବାସ ଯୋଜନାରେ ଯୋଗ୍ୟତା ସମ୍ପର୍କିତ ତଥ୍ୟ ଯାଞ୍ଚ କରୁଛନ୍ତି। ଯାଞ୍ଚ ପ୍ରକ୍ରିୟାରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କ ନାମ ବାଦ୍ ଦେବା ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ ନ୍ୟାୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି। ଏ ସମ୍ପର୍କରେ ହାଟଡିହି ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ତେବେ ତୃତୀୟ ପର୍ଯ୍ୟାୟ ସର୍ଭେ ପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବା ସହ ଯୋଗ୍ୟ ହିତାଧିକାରୀ ନ୍ୟାୟ ପାଇବେ କି ନାହିଁ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଯୋଜନାରେ ସ୍ୱଚ୍ଛତା ବଜାୟ ରଖିବା, ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରିବା ଏବଂ ଦୋଷୀ ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


