ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ, (ଓ୍ବାଇଏନଏସ): ଚଳିତବର୍ଷ ଦୁର୍ଗାପୂଜାକୁ ଶାନ୍ତି, ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଦୁର୍ଗାପୂଜା ବୈଠକ ନେତାଜୀ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ମାନ୍ୟବର ବିଧାୟକ କଟକ ସଦର, ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଆବଶ୍ୟକ ଆଲୋକ ବ୍ୟବସ୍ଥା ଓ ଭୋଲ୍ଟେଜ୍ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗକୁ ପଦକ୍ଷେପ ନେବାକୁ କହିଥିଲେ। ବିଦ୍ୟୁତ କାଟ ଯୋଗୁଁ ଯେପରି ସାଧାରଣ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ବିଶେଷ ନଜର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏତତ୍ ବ୍ୟତୀତ ପୂଜା ଓ ଭସାଣି ସମୟରେ ନିଶା ଦ୍ରବ୍ୟ ବିଶେଷ କରି ମଦ ବିକ୍ରି ଓ ଅବୈଧ ମଦ କାରବାର ଉପରେ କଡ଼ା ନଜର ରଖିବାକୁ ଅବକାରୀ ବିଭାଗକୁ କୁହାଯାଇଛି । ଅବୈଧ ମଦ ବିକ୍ରି ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ଚଢ଼ାଉ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଭସାଣି ସମୟରେ ମଦ ଦୋକାନ ବନ୍ଦ ରଖିବା ସମ୍ପର୍କରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଥିଲା। କେନ୍ଦ୍ରାପଡା ସାଂସଦ ଙ୍କ ପ୍ରତିନିଧି ତଥା ବରିଷ୍ଠ ସଦସ୍ୟ ଶ୍ରୀ ରାମନାରାୟଣ ମହାନ୍ତି ପୂଜା ଅନୁଷ୍ଠିତ ହେଉଥିବା ଅଞ୍ଚଳ ମାନଙ୍କରେ ଵିଶେଷ କରି ମଣ୍ଡପମାନଙ୍କର ସମସ୍ତ ଆବଶ୍ୟକତାଗୁଡ଼ିକ ପୂରଣ ନିମନ୍ତେ ପ୍ରଶାସନର ସହଯୋଗ ଲୋଡ଼ିବା ସହ ପୂଜା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ମଧ୍ଯ ଆଶାବ୍ୟକ୍ତ କରିଥିଲେ। ଗ୍ରାମାଞ୍ଚଳର ପୂଜା କମିଟିଗୁଡ଼ିକ ପାଇଁ ଆଗାମୀ ବର୍ଷ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅସାମାଜିକ କାର୍ଯ୍ୟକଳାପ ଓ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂଜା ଓ ଭସାଣି ସମୟରେ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କଡ଼ା ନଜର ରଖିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବାଲି ପରିବହନ ,ଭାରି ଯାନ ଚଳାଚଳ ଓ ଅନ୍ୟାନ୍ୟ ସମସ୍ୟା ନେଇ ଖଣି ବିଭାଗ ସହ ଆଲୋଚନା କରି ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଛନ୍ତି । ବିଭିନ୍ନ ଅଞ୍ଚଳରେ ଥିବା ରାସ୍ତା ସମସ୍ୟାର ତୁରନ୍ତ ସମାଧାନ ଏବଂ ଆବଶ୍ୟକ ମରାମତି କରିବାକୁ ପୂର୍ତ୍ତ ବିଭାଗକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ତୋରଣ ଯୋଗୁଁ ଯେପରି ଦୁର୍ଘଟଣା ନ ଘଟେ ଏବଂ ଯାତାୟାତରେ ବାଧା ନ ସୃଷ୍ଟି ହୁଏ, ସେଥିପାଇଁ ତୋରଣଗୁଡ଼ିକୁ ନିୟମାନୁସାରେ ଯାଞ୍ଚ ଓ ନିରୀକ୍ଷଣ କରିବାକୁ ସେ କହିଛନ୍ତି। ପୂଜା ମଣ୍ଡପ ଓ ମା’ଙ୍କ ପୀଠଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଶୌଚାଳୟ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ ପୂଜା କମିଟି ଗୁଡିକର ଆଲୋଚିତ ବିଷୟ ଉପରେ ମତାମତ ରଖି ସମସ୍ତ ଵିଭାଗ ତରଫରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ରଖିଥିଲେ । ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ, ଉପଜିଲ୍ଲାପାଳ ଆଠଗଡ ଶ୍ରୀ ଅନିମେଷ ପ୍ରଧାନ, ଉପଜିଲ୍ଲାପାଳ ବାଙ୍କୀ ଶ୍ରୀମତୀ ମନସ୍ଵିନୀ ଦାସ ଉପସ୍ଥିତ ରହି ଆଲୋଚନା ମାଧ୍ୟମରେ ସମସ୍ତ ସତର୍କତା ଅବଲମ୍ବନ ସହ ଗ୍ରାମାଂଚଳ ପୂଜା ସୁରୁଖୁରରେ ଅନୁଷ୍ଠିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ନିଶ୍ଚିନ୍ତକୋଇଲି, ସାଲେପୁର, ବାଙ୍କୀ, ଟାଙ୍ଗୀ,ଭଦ୍ରେଶ୍ବର, ଭଟିମୁଣ୍ଡା ଆଦି ଅଞ୍ଚଳର ଦୁର୍ଗାପୂଜା କମିଟି ଗୁଡ଼ିକର ପ୍ରତିନିଧିମାନେ ପୂଜା ପାଳନ ସମୟରେ ନିଜ ନିଜ ଅଞ୍ଚଳରେ ଆବଶ୍ୟକ ହେଉଥିବା କାର୍ଯ୍ୟ ଓ ସାମୁହିକ ଭାବେ ଦେଖା ଦେଉଥିବା ସମସ୍ୟା ସମାଧାନ ସମ୍ପର୍କରେ ମତାମତ ରଖିଥିଲେ। ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ପଦକ୍ଷେପ ସ୍ୱରୂପ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ସଂପର୍କରେ ଅବଗତ କରାଇବା ସହ ପୂଜା ସମୟରେ ଵିଶେଷ କରି ଆଇନଶୃଙ୍ଖଳା ସହ ଯାତାୟାତ, ଆଲୋକ, ପାନୀୟ ଜଳ, ପରିମଳ, ବିଦ୍ୟୁତ ଓ ଅନ୍ୟାନ୍ୟ ମୌଳିକ ସେବା ଯୋଗାଇ ଦେବା ସମ୍ପର୍କରେ ସୂଚିତ କରିଥିଲେ। ପୂଜା ସମୟରେ ଆଇନଶୃଙ୍ଖଳା ସର୍ବାଧିକ ପ୍ରାଧାନ୍ୟ ଦିଆଯିବ । ଆଜିର ଏହି ବୈଠକର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭ୍ରନାରାୟଣ ମୁଦୁଲି ପ୍ରାରମ୍ଭିକ ସୂଚନା ଓ ବିବରଣୀ ପାଠ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ପୂଜା ସମୟରେ ଗ୍ରାମାଂଚଳ ମାନଙ୍କରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପୋଲିସ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ୱାଗତିକା ବେହେରା ସଭା ସଂଯୋଜନା କରି ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ