ଥାନା ଓ ଫାଣ୍ଡିରେ ଅଚଳ ସିସିଟିଭି ସଜାଡ଼ିବାକୁ ମଗାଗଲା ୭୬ କୋଟି
କଟକ,: ରାଜ୍ୟର ଥାନା ଓ ଫାଣ୍ଡିଗୁଡ଼ିକରେ ସିସିଟିଭି ନଜରଦାରି ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି। ରାଜ୍ୟରେ ଖଞ୍ଜାଯାଇଥିବା ୧୬,୬୭୨ଟି ସିସିଟିଭି ମଧ୍ୟରୁ ୮୨୮ଟି କ୍ୟାମେରା ଅଚଳ ହୋଇପଡ଼ିଛି। ହାଇକୋର୍ଟଙ୍କ ତାଗିଦ ପରେ ଏହି କ୍ୟାମେରାଗୁଡ଼ିକୁ ତୁରନ୍ତ ସଜାଡ଼ିବା ସହ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୭୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପାଇଁ ପୁଲିସ ବିଭାଗ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛି। ରାଜ୍ୟ ଗୃହ ସଚିବଙ୍କୁ ପୁଲିସ ଏଡିଜି (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର ଲେଖିଥିବା ଚିଠିରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୭ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୭୯୫ଟି ଏବଂ ଫାଣ୍ଡିରେ ୩୩ଟି ସିସିଟିଭି କାର୍ଯ୍ୟକ୍ଷମ ନଥିଲା। ଅଚଳ କ୍ୟାମେରା ଯୋଗୁଁ ଥାନାଗୁଡ଼ିକରେ ପୁଲିସର କାର୍ଯ୍ୟକଳାପର ରିଅଲ୍-ଟାଇମ୍ ଭିଡିଓ ନଜରଦାରି ପ୍ରଭାବିତ ହେଉଛି। ଏହା ରାଜ୍ୟ ପୁଲିସ ମୁଖ୍ୟାଳୟର କେନ୍ଦ୍ରୀୟ କଣ୍ଟ୍ରୋଲ୍ ରୁମ୍ ସହ ଜଡ଼ିତ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ୍ ଉପରେ ମଧ୍ୟ ପ୍ରଭାବ ପକାଉଛି। ରାଜ୍ୟର ୬୪୫ଟି ଥାନା ଓ ୨୬୩ଟି ଫାଣ୍ଡିରେ ୧୬,୬୭୨ଟି ସିସିଟିଭି ଖଞ୍ଜାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଥାନା ଓ ଫାଣ୍ଡିର ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୭୬ କୋଟି ଟଙ୍କାର ବଜେଟ୍ ଅର୍ଥରାଶି ରଖାଯାଇଛି। ଏହି ଅର୍ଥକୁ ଅତିରିକ୍ତ ବଜେଟ୍ ମାଧ୍ୟମରେ ଓକାକ୍କୁ ମଞ୍ଜୁର କରିବା ପାଇଁ ପୁଲିସ ବିଭାଗ ପ୍ରସ୍ତାବ ଦେଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ସିସିଟିଭି ଅଚଳ ହେବା ଫଳରେ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ୍ ବିଗିଡ଼ି ଯାଉଛି। ଏହା ଫଳରେ ଥାନାଗୁଡ଼ିକରେ ପୁଲିସର କାର୍ଯ୍ୟକଳାପର ତତ୍କାଳ ଭିଡିଓ ତଥ୍ୟ କେନ୍ଦ୍ରୀୟ କଣ୍ଟ୍ରୋଲ୍ ରୁମ୍ରୁ ନଜରଦାରି କରିବା ସମ୍ଭବ ହେଉନାହିଁ। ୨୦୨୪ରେ ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କୁ ହେପାଜତରେ ଦୁର୍ବ୍ୟବହାର ଏବଂ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ, ବାନ୍ଧବୀଜଣକ ଥାନାରେ ହଙ୍ଗାମା କରିବା ସହ ପୁଲିସକୁ ମାର୍ପିଟ୍ କରିଥିବା ନେଇ ପୁଲିସ ପାଲଟା ଅଭିଯୋଗ କରିଥିଲା। ତେବେ ଥାନାରେ ସିସିଟିଭି କ୍ୟାମେରା ନଥିବାରୁ ଘଟଣା ସମ୍ପର୍କିତ ଭିଡିଓ ପ୍ରମାଣ ଉପଲବ୍ଧ ହୋଇପାରିନଥିଲା। ଏହାପରେ ଥାନାଗୁଡ଼ିକରେ ସିସିଟିଭିର ସ୍ଥିତି ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ। ରାଜ୍ୟ ସରକାର ତିନି ମାସ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଥାନା ଓ ଫାଣ୍ଡିଗୁଡ଼ିକରେ ଲଗାଯାଇଥିବା ସମସ୍ତ ସିସିଟିଭି କ୍ୟାମେରା ସବୁବେଳେ କାର୍ଯ୍ୟକ୍ଷମ ରହିବା ଆବଶ୍ୟକ। ତେଣୁ ଅଚଳ କ୍ୟାମେରାଗୁଡ଼ିକୁ ତୁରନ୍ତ ସଜାଡ଼ିବା ସହ ନଜରଦାରି ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଏବେ ପୁଲିସ ବିଭାଗର ପ୍ରମୁଖ ଆହ୍ୱାନ ପାଲଟିଛି।


