ବିଦ୍ୟୁତ୍ ବିଲ୍ ଖାରଜ, ଟିପିଏସ୍‌ଓଡିଏଲ୍‌କୁ ୨୦ ହଜାର ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ଗୁଣପୁର, (ୱାଇଏନଏସ): ବିଦ୍ୟୁତ୍ ଉପଭୋକ୍ତାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ। ଟିପି ସାଉଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଜଣେ ଉପଭୋକ୍ତାଙ୍କ ଉପରେ ଲଗାଯାଇଥିବା ୧ ଲକ୍ଷ ୬୧ ହଜାର ୭୯୯ ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍‌କୁ ଆୟୋଗ ଖାରଜ କରିବା ସହ ସେବାରେ ଅବହେଳା ପାଇଁ ୨୦ ହଜାର ଟଙ୍କା କ୍ଷତିପୂରଣ ଓ ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ କୁମାର କରଙ୍କ ବିଦ୍ୟୁତ୍ ସଂଯୋଗ ତାଙ୍କ ସ୍ୱର୍ଗତ ଜେଜେବାପା ଉଦୟନାଥ କରଙ୍କ ନାମରେ ରହିଥିଲା। ୨୦୨୪ ନଭେମ୍ବରରେ ସ୍ମାର୍ଟ ମିଟର ସ୍ଥାପନ ପରେ ତାଙ୍କୁ ଅସ୍ୱାଭାବିକ ଭାବେ ଅଧିକ ବିଦ୍ୟୁତ୍ ବିଲ୍ ଆସିଥିଲା। ଏନେଇ ସେ ଆପତ୍ତି ଉଠାଇଥିଲେ ମଧ୍ୟ ଟିପିଏସ୍‌ଓଡିଏଲ୍‌ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରିନଥିଲେ। ଏପରିକି ବିବାଦୀୟ ବକେୟା ବିଲ୍ ଆଧାରରେ ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଉପଭୋକ୍ତା ଅଭିଯୋଗ ପ୍ରତିକାର ଫୋରମ୍‌ (ସିଜିଆରଏଫ୍‌) ଏବଂ ବିଦ୍ୟୁତ୍ ଲୋକପାଳଙ୍କ ନିକଟରୁ ଆଶାନୁରୂପ ସମାଧାନ ନମିଳିବାରୁ ପ୍ରଶାନ୍ତ ଖାଉଟି ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଆୟୋଗର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା ଓ ସଦସ୍ୟ ସତୀଶ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି ଟିପିଏସ୍‌ଓଡିଏଲ୍‌ର ଆପତ୍ତିକୁ ଖାରଜ କରିଥିଲେ। ବିଦ୍ୟୁତ୍ ସଂଯୋଗ ପୂର୍ବପୁରୁଷଙ୍କ ନାମରେ ଥିଲେ ମଧ୍ୟ ସମ୍ପୃକ୍ତ ଘରେ ରହି ବାସ୍ତବରେ ବିଦ୍ୟୁତ୍ ବ୍ୟବହାର କରୁଥିବା ବ୍ୟକ୍ତି ଖାଉଟି ସୁରକ୍ଷା ଆଇନ ଅନୁଯାୟୀ ନ୍ୟାୟ ପାଇବାକୁ ହକ୍‌ଦାର ବୋଲି ଆୟୋଗ ସ୍ପଷ୍ଟ କରିଥିଲେ। ଏଥିସହ ସିଜିଆରଏଫ୍‌ କିମ୍ବା ବିଦ୍ୟୁତ୍ ଲୋକପାଳଙ୍କ ନିଷ୍ପତ୍ତି ପରେ ମଧ୍ୟ ଖାଉଟି ଆୟୋଗଙ୍କ ନିକଟରେ ନ୍ୟାୟ ପାଇଁ ଆବେଦନ କରିପାରିବେ ବୋଲି ମତ ଦେଇଥିଲେ। ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୫୬(୨) ଏବଂ ଓଇଆର୍‌ସି ନିୟମାବଳୀକୁ ଆଧାର କରି ଆୟୋଗ କହିଥିଲେ ଯେ, ଆବଶ୍ୟକ ନୋଟିସ୍‌ ନଦେଇ ଦୁଇ ବର୍ଷରୁ ଅଧିକ ପୁରୁଣା ବକେୟା ବିଲ୍ ଆଦାୟ କରିବା ଅନୁମୋଦନଯୋଗ୍ୟ ନୁହେଁ। ଆୟୋଗ ଟିପିଏସ୍‌ଓଡିଏଲ୍‌କୁ ୩୦ ଦିନ ମଧ୍ୟରେ ପୂର୍ବ ଦୁଇ ବର୍ଷର ବାସ୍ତବ ବିଦ୍ୟୁତ୍ ବ୍ୟବହାର ଆଧାରରେ ସଂଶୋଧିତ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପଭୋକ୍ତାଙ୍କୁ ବିଲ୍ ପୈଠ ପାଇଁ ୪୫ ଦିନ ସମୟ ଦେବା ସହ କିସ୍ତିରେ ଅର୍ଥ ପୈଠର ସୁବିଧା ଯୋଗାଇଦେବାକୁ କୁହାଯାଇଛି। ମାନସିକ ନିର୍ଯାତନା ପାଇଁ ୧୫ ହଜାର ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ୪୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ମଧ୍ୟ ଆଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଅର୍ଥ ପୈଠ ନକଲେ ବାର୍ଷିକ ୯ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ଏଥିସହ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ଆୟୋଗ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ