ଜନବସତି କୁ ମାଡି ଆସୁଛନ୍ତି ହାତୀପଲ : ବନ ବିଭାଗ ପକ୍ଷରୁ ଜନସଚେତନତା ଜାରି

 ଦିଗପହଣ୍ଡି(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଇର ପଦର, ସିଙ୍ଗପୁର,ହରିଣା,ସୁମନ୍ତପୁର,ଗୁଣ୍ଡୁରି ଗୁଡ଼ା,ଆଦିକନ୍ଦପୁର,ସୁନାଖଣ୍ଡି ପ୍ରଭୃତି ଗ୍ରାମ ମାନଙ୍କରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ ତାଟି କବାଟ ପଡିଯାଉଛି। ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ  ଜଙ୍ଗଲ ଅଧିନ ଶୁଳିଆ ପାହାଡ଼ରେ ଦୀର୍ଘଦିନ ଧରି ରହୁଥିବା ୪ ହାତୀ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣ ରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି।ହାତୀ ପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନ ଓ ମାଣ୍ଡିଆ ଫସଲ ନଷ୍ଟ କରୁଛନ୍ତି। ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ ଙ୍କୁ ପଚାରିବାରୁ ହାତୀ ଚଳପ୍ରଚଳ ନେଇ ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁ ମାନଙ୍କରେ ହାତୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ। ହାତୀ ଙ୍କ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରନ୍ତୁ ନାହିଁ।ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଫାସ ପକାଇବା ଧର୍ତ୍ତବ୍ୟ ଅପରାଧ ବୋଲି ଲୋକଙ୍କୁ ବନ କର୍ମଚାରୀ ଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଉଛି। ବନ ବିଭାଗ ର ହାତୀ ସ୍କୁଆର୍ଡ, ତାଲିମ ପ୍ରାପ୍ତ ହାତୀ ଟ୍ରାକର ଙ୍କ ସମେତ ପାଟପୁର ଓ ଦିଗପହଣ୍ଡି ବନ  କର୍ମଚାରୀ ମାନଙ୍କ ପକ୍ଷରୁ ଜଙ୍ଗଲ ମଧ୍ୟକୁ ହାତୀ ଘଉଡାଇବା ପାଇଁ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଛି। ବେଆଇନ ଭାବେ କିଛି ଗ୍ରାମାଞ୍ଚଳ ମାନଙ୍କରେ ହୁକିଂ କରାଯାଉଥିବା ରୁ ହାତୀ ଙ୍କ ସୁରକ୍ଷା ଦୃଷ୍ଟିରୁ ସେଗୁଡିକୁ ହଟାଇବା ପାଇଁ ବିଦ୍ୟୁତ୍ କର୍ମଚାରୀ ବୃନ୍ଦ ସହଯୋଗ କରୁଛନ୍ତି। ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଛି। ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ପ୍ରତି ବନ ବିଭାଗ  ସ୍ଵତନ୍ତ୍ର ନଜର ରଖିବା ସହ ଦିଗପହଣ୍ଡି ରେଞ୍ଜର ନିଜେ ମନିଟରିଂ କରୁଥିବା କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ କିଛି ଯୁବକ ବିପଦଜନକ ଭାବେ ହାତୀ ଙ୍କ ଫଟୋ ଭିଡ଼ିଓ ଉତ୍ତୋଳନ କରୁଥିବାରୁ ସେମାନଙ୍କୁ ବାରଣ କରାଯାଇଛି। ହାତୀପଲ ନଷ୍ଟ କରୁଥିବା ଚାଷଜମି ଗୁଡ଼ିକ  ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ ପୋଡ଼ାମାରି ସ୍ଥିତ ଚନ୍ଦ୍ରଗିରି ରେଞ୍ଜ ଅଧିନରେ ରହୁଥିବାରୁ ଫସଲ କ୍ଷୟକ୍ଷତି ପାଇଁ ଚାଷୀ ଆବେଦନ କଲେ ତଦନ୍ତ କରାଯାଇ ସେମାନଙ୍କୁ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରେଞ୍ଜର କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨ ଓ ୩୦ ତାରିଖରେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦ୍ଵିତୀୟ ଢେପାଗୁଡ଼ା ଓ ଭୀମନଗର ଗ୍ରାମ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୃଥକ ଭାବେ ୨ ଟି ମାଈ ହାତୀ ମୃତ୍ୟୁବରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ