ଘୋଡ଼ାଫୁକରରେ ହାତୀ ଉପଦ୍ରବ: ଭାଙ୍ଗିଲା ଘର, ଖାଦ୍ୟ ସାମଗ୍ରୀ ନଷ୍ଟ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ଘୋଡ଼ାଫୁକର ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଆତଙ୍କ ଦେଖାଦେଇଛି। ହାତୀ ଗାଁ ମଧ୍ୟକୁ ପ୍ରବେଶ କରି କେତେକ ଘର ଭାଙ୍ଗିବା ସହ ଘରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀ ନଷ୍ଟ କରିଦେଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଲାଞ୍ଜିଗଡ଼ ଜୋନ୍‌-୨ର ଜିଲ୍ଲା ପରିଷଦ ସଦସ୍ୟ ପରଖିତ କୁମାର ନାଏକ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଥିଲେ। ସେ ହାତୀ ଉପଦ୍ରବ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ସହ ଗ୍ରାମବାସୀଙ୍କ ସମସ୍ୟା ଶୁଣିଥିଲେ। ଏହି ଘଟଣା ସମ୍ପର୍କରେ ବନ ବିଭାଗ କର୍ମଚାରୀଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରାଯାଇ ଗ୍ରାମର ସ୍ଥିତି ଓ ଲୋକଙ୍କ ସୁରକ୍ଷା ସମ୍ପର୍କରେ ଅବଗତ କରାଯାଇଥିଲା। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କୁ ସତର୍କ କରିବା ଏବଂ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି। ହାତୀ ଉପଦ୍ରବରେ ଘର ଭାଙ୍ଗିବା ଓ ଖାଦ୍ୟ ସାମଗ୍ରୀ ନଷ୍ଟ ହେବା ଯୋଗୁଁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ଆର୍ଥିକ ସମସ୍ୟାରେ ପଡ଼ିଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ନିୟମ ଅନୁସାରେ ତୁରନ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳରେ ବାରମ୍ବାର ହାତୀଙ୍କ ପ୍ରବେଶ ଯୋଗୁଁ ମଣିଷ-ହାତୀ ସଂଘର୍ଷର ଆଶଙ୍କା ବଢ଼ୁଛି। ରାତି ସମୟରେ ହାତୀ ଗାଁ ମଧ୍ୟକୁ ପ୍ରବେଶ କରୁଥିବାରୁ ଲୋକଙ୍କ ଧନଜୀବନ ପ୍ରତି ବିପଦ ରହିଛି। ତେଣୁ ହାତୀଙ୍କ ଗତିପଥ ଚିହ୍ନଟ କରି ନିୟମିତ ନଜରଦାରି, ଗ୍ରାମବାସୀଙ୍କୁ ସତର୍କ ସୂଚନା ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ