ମହିଳା ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜୁ ଜନତା ଦଳର ପ୍ରତିନିଧି ଦଳ

ଛତ୍ରପୁର(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ପାତ୍ରପୁର, ଗଞ୍ଜାମ, ଛତ୍ରପୁର ଓ ସୋରଡା ସମେତ ବିଭିନ୍ନ ବ୍ଲକରେ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯିବା ସହିତ ମହିଳା ଜନ ପ୍ରତିନିଧି ମାନଙ୍କୁ ଦୁର୍ବବ୍ୟହାର କରାଯାଉଥିବା ଅଭିଯୋଗ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଜୁ ଜନତା ଦଳର ପ୍ରବକ୍ତା ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ପାତ୍ରପୁର ପଂଚାୟତ ସମିତି ବୈଠକରେ ଗଣ୍ଡଗୋଳ, ବାହାର ଲୋକଙ୍କ ଦ୍ୱାରା ମହିଳା ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଓ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ନେଇ ଚିକିଟି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହ ମହିଳା ଜନ ପ୍ରତିନିଧିଙ୍କୁ ଦୁର୍ବବ୍ୟହାର କରାଯାଉଥିବା ନେଇ ଥାନାରେ ମାମଲା ହୋଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ସୋରଡା ବ୍ଲକ ଅଧ୍ୟକ୍ଷାଙ୍କ ଦସ୍ତଖତ ଜାଲିଆତି କରି ଦୁଇଟି ବିଲ୍ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛିି । ଏଣୁ ଏହାର ଉଚିତ୍ ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଛତ୍ରପୁର ଓ ଗଞ୍ଜାମ ବ୍ଲକରେ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯିବା ସହ ରାଜନୈତିକ ହସ୍ତକ୍ଷେପ କରି ସେମାନଙ୍କ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଏନେଇ ଗଞ୍ଜାମ ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ ବ୍ଲକରେ ବିଡିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ବିଜେପିର ବ୍ଲକ ସଭାପତି ଭଳି କାର୍ଯ୍ୟ କରୁଥିବା ମଧ୍ୟ ଏହି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି । ରାଜ୍ୟରେ ମୋହନ ସରକାର ଆସିଲା ଦିନ ଠାରୁ ବିକାଶ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ନବୀନ ସରକାର ଅମଳରେ ଯାହା କାର୍ଯ୍ୟ ହୋଇଥିଲା ତାର ବକେୟା ବିଲ୍ କୁ ରାଜନୈତିକ ଚାପ ପକାଇ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଉନାହିଁ । ରାଜନୈତିକ ହସ୍ତକ୍ଷେପ କରି ନିରୀହ ଲୋକଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯାଉଛି । ଏହାକୁ କେବେ ବି ବରଦାସ୍ତ କରାଯିବ ନାହିଁ । ଲୋକଙ୍କ ସମସ୍ୟାର ସମାଧାନ ଓ ହିତ ନିମନ୍ତେ ଆବଶ୍ୟକ ହେଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳର ପ୍ରବକ୍ତା ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର କହିଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଛତ୍ରପୁରର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଚିକିଟି ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ, ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ କୁମାର କର, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଶ୍ରୀରାମଚନ୍ଦ୍ରପୁର ପଂଚାୟତର ସମିତିସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଯୁବନେତା ବିମଳ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, କିଶୋର ବେହେରା, ଗଗନ ସ୍ୱାଇଁ, କାହ୍ନୁ ଚରଣ ବେହେରା, ଟି. ଚନ୍ଦ୍ର ଶେଖର ରାଓ, ରାଜପୁର ସରପଞ୍ଚ ରଞ୍ଜନ ପଲେଇଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ