ଅଡିଟ କରିବାକୁ ଯାଇଥିବା ମହିଳା ଭିଆରପିଙ୍କୁ ଆକ୍ରମଣ
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଦୁଇ ମହିଳା ଭିଆରପି ସୋସିଆଲ ଅଡିଟ୍ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ସୂଚନା ଅନୁସାରେ ହାଟଡିହି ବ୍ଲକ ସୋସୋ ଥାନା ଖପରାଖାଇ ଗାଁ ରେ ଘଟିଛି ଏଭଳି ଘଟଣା। ମରୈଗାଁ ପଞ୍ଚାୟତ ଖପରାଖାଇ ଗାଁରେ ମନରେଗା କାମର ସୋସିଆଲ ଅଡିଟ୍ କରିବାକୁ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ସାଙ୍ଗରେ ନେଇ ଗାଁକୁ ଯାଇଥିଲେ ବ୍ଲକ୍ ର ୨ଜଣ ଭିଆରପି ବିଜୟଲକ୍ଷ୍ମୀ ରଉତ ଓ ପ୍ରମିଳା ବରାଳ। ୯ଲକ୍ଷ ଟଙ୍କା ରେ ନିର୍ମିତ ଏକ ରାସ୍ତା କାମ ନିକଟରେ ପହଁଞ୍ଚିବା ପରେ ସେହିବାଟଦେଇ ଯାଉଥିବା ଜଣେ ବ୍ୟକ୍ତି ହଠାତ୍ ସରପଞ୍ଚଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିବା ସହ ତାଙ୍କ କଲର ଧରି ଠେଲାପେଲା କରିଥିଲେ। ପରେ ପରେ ସ୍କୁଟିରେ ବସିଥିବା ୨ ମହିଳା ଭିଆରପିଙ୍କ ସହିତ ଯୁକ୍ତିତର୍କ କରି ତାଙ୍କୁ ଠେଲି ଦେବାରୁ ସେମାନେ ସ୍କୁଟି ସହ ତଳେ ପଡିଯାଇ ଥିଲେ। ଫଳରେ ଭିଆରପି ବିଜୟଲକ୍ଷ୍ମୀଙ୍କ ଗୋଡରେ ଗଭିର ଆଘାତ ଲାଗିଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆନନ୍ଦପୁର ମେଡିକାଲ ଠାରେ ଭର୍ତି କରାଯାଇଛି। ଏ ସମ୍ପର୍କରେ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କୁ ପଚାରିବାରେ ସେ କହିଛନ୍ତି ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ନନ୍ଦିପଦା ପୋଲିସକୁ ସୂଚନା ଦେବାରୁ ନନ୍ଦିପଦା ପୋଲିସ ପହଞ୍ଚି ଭିଆରପି ମାନଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଘଟଣାଟି ସୋସୋ ଥାନା ଅଞ୍ଚଳର ହୋଇଥିବାରୁ ବିଡ଼ିଓ ଙ୍କ ସୂଚନା ଆଧାରରେ ସୋସୋ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।


