ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା
ଆସିକା (ୱାଇଏନ୍ଏସ୍) : ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା, ଯାଞ୍ଚ, ବୈଧ ତାଲିକା ପ୍ରକାଶ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ସମୟ ଅବଧି ଶେଷ ପରେ ଶନିବାର ଅପରାହ୍ନରେ ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇଛି । ଛାତ୍ରସଂସଦ ନିର୍ବାଚନ ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଏବଂ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଓ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଛାତ୍ର ରାଜନୀତି ମଧ୍ୟ ସରଗରମ ହୋଇଉଠିିଛି । ଆଗାମୀ ଛାତ୍ରସଂସଦ ନିର୍ବାଚନରେ ବିଜୟଧ୍ୱଜା ଉଡାଇବା ପାଇଁ ବିଭିନ୍ନ ପଦପଦବୀ ସକାଶେ ପ୍ରାର୍ଥୀ ହୋଇଥିବା ଛାତ୍ରନେତାମାନେ ରଣକୌଶଳ ଆରମ୍ଭ କରିଦେଇଛନ୍ତି । ଦୀର୍ଘ ୮ ବର୍ଷ ବ୍ୟବଧାନରେ ଛାତ୍ରସଂସଦ ନିର୍ବାଚନ ପ।।ଇଁ ବିଗୁଲ୍ ବାଜିସାରିଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଶନିବାର ପୂର୍ବାହ୍ନ ୧୦ ଘଟିକାରୁ ଅପରାହ୍ନ ଗୋଟାଏ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପର୍ବ ଶେଷ ହେବା ପରେ ଅପରାହ୍ନ ୩ଟାରେ ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇଥିଲା । ଛାତ୍ରସଂସଦ ନିର୍ବାଚନ ପାଇଁ ଆସିକା ବ୍ଳକ ଓ ପୌର ପରିଷଦ ଅଞ୍ଚଳରେ ଥିବା ୩ଟି କଲେଜରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା । ଛାତ୍ରସଂସଦ ନିର୍ବାଚନକୁ ହାତରେ ଆଉମାତ୍ର ୪ ଦିନ ବାକି ଥିଲା ବେଳେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଭୋଟ ହାତେଇବାକୁ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି । ଛାତ୍ରସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଆଗ୍ରହ ପ୍ରକାଶ ପାଇଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ଥିବା ୩ଟି ମହାବିଦ୍ୟାଳୟର କ୍ୟାମ୍ପସ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆଦର୍ଶ ଛାତ୍ରନେତାଙ୍କୁ ଚୟନ ପାଇଁ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି । ଆଜିର ଆଦର୍ଶ ଓ ଶୃଙ୍ଖଳିତ ଛାତ୍ରନେତା ହିଁ ଆସନ୍ତାକାଲିର ଦେଶ ଗଠନର କର୍ଣ୍ଣଧାର । ଛାତ୍ରଜୀବନରୁ ନେତୃତ୍ୱର ଦକ୍ଷତା, ସାମାଜିକ ଦାୟିତ୍ୱବୋଧ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ ଦେବାର ଏକ ପ୍ରକୃଷ୍ଠ ମାଧ୍ୟମ ହେଉଛି ଛାତ୍ରସଂସଦ ନିର୍ବାଚନ । ଆଗାମୀ ଛାତ୍ରସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ ପାଇଛି । କିଏ ହେବ ଛାତ୍ରଛାତ୍ରୀଙ୍କ ପ୍ରତିନିଧି, କାହା ସପକ୍ଷରେ ଯିବ ସମର୍ଥନର ସୁଅ ତାହାକୁ ନେଇ ଆଲୋଚନା ଜାରି ରହିଛି । ଛାତ୍ରସଂସଦ ନିର୍ବାଚନ କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ଏହା ଛାତ୍ରଛାତ୍ରୀଙ୍କ ସ୍ୱରକୁ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା ଏବଂ ଶିକ୍ଷାନୁଷ୍ଠାନର ବିକାଶରେ ଭାଗିଦାରୀ ହେବାର ସୁଯୋଗ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଛାତ୍ରଛାତ୍ରୀଙ୍କ ନିର୍ବାଚନ ରଣନୀତି ଶୃଙ୍ଖଳିତ, ଆଦର୍ଶଗତ ଓ ନିିରପେକ୍ଷତା ହେବା ଆବଶ୍ୟକ କରେ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆସିକାର ୩ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶନିବାର ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବା ପରେ କେଉଁ ପ୍ରାର୍ଥୀଙ୍କ ଉପରେ ଭୋଟରଙ୍କ ଆସ୍ଥା ରହିବ ତାହାକୁ ନେଇ ଏବେ ଠାରୁ ଆକଳନ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି ।


