ଆଜି ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ

ଆସିକା (ୱାଇଏନ୍‍ଏସ୍‍) :ପ୍ରତିବର୍ଷ ଅକ୍ଟୋବର ମାସ ୧୧ ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ । ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଅବସରରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ପରାମର୍ଶ ଦେଇ କହିଛନ୍ତି ସମାଜରେ ବାଳିକା ବା କନ୍ୟା ମାନଙ୍କୁ ସଦାସର୍ବଦା ମର୍ଯ୍ୟଦାଜନକ ସ୍ଥାନ ପ୍ରଦାନ କରିବା, ପ୍ରତ୍ୟେକ ବାଳିକାଙ୍କୁ ସମାଜରେ ନିଜର ମୌଳିକ ଅଧିକାର ବିଷୟରେ ବୁଝାଇବା, ସମାଜରେ ପୁଅ ଓ ଝିଅଙ୍କ ମଧ୍ୟରେ ଥିବା ପ୍ରଭେଦ କିମ୍ବା ଲିଙ୍ଗଗତ ଅସମାନତାକୁ ଦୂର କରିବା, ବାଳିକାମାନେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେପରି ପାଠପଢାରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବା, ସମସ୍ତ ଝିଅମାନଙ୍କୁ ଆତ୍ମସୁରକ୍ଷା ତାଲିମ୍‍ ପ୍ରଦାନ କରିବା, କମ୍‍ ବୟସର ଝିଅମାନଙ୍କ ବିବାହକୁ ରୋକି ସେମାନଙ୍କ ଶୈଶବ ଓ ଭବିଷ୍ୟତକୁ ସୁରକ୍ଷିତ କରିବା, ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ବା କନ୍ୟାସନ୍ତାନକୁ ଉଚିତ୍‍ ସମ୍ମାନ ଦେବା, ରାଜନୀତି ଠାରୁ ଆରମ୍ଭ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମେତ ପ୍ରତିଟି କ୍ଷେତ୍ରରେ ବାଳିକାମାନଙ୍କୁ ଆଗକୁ ଅଗ୍ରସର ହେବାକୁ ସୁଯୋଗ ଦେବା, କନ୍ୟାସନ୍ତାନଙ୍କ ସୁରକ୍ଷିତ ଉଜ୍ଜଳ ଭବିଷ୍ୟତ ଗଠନ କରିବା, ମହିଳାମାନଙ୍କୁ ପ୍ରତିଟି କ୍ଷେତ୍ରରେ ଉଚିତ୍‍ ସମ୍ମାନ ଦେବା, କନ୍ୟାମାନଙ୍କୁ ସଶକ୍ତିକରଣ କରିବା ନିତାନ୍ତ ଆବଶ୍ୟକ । ଝିଅଙ୍କ ଉନ୍ନତିରେ ହିଁ ଦେଶର ପ୍ରଗତି ସମ୍ଭବ ହୋଇଥାଏ । ଯେଉଁ ଦେଶରେ ଝିଅମାନେ ଭଲ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ଗୁଣବତ୍ତାକୁ ଅଧିକ ଧ୍ୟାନ ଦିଆଯାଉଛି ସେହି ଦେଶ ସେତିକି ପ୍ରଗତିଶୀଳ ହେବାରେ ଲାଗିଛି । ପୁଅଙ୍କ ତୁଳନାରେ ଝିଅମାନେ ପ୍ରାୟତଃ ପ୍ରତିଟି କ୍ଷେତ୍ରରେ ଅଗ୍ରଗତି କରିଚାଲୁଥିଲେ ମଧ୍ୟ ଏବେବି ବହୁ ପରିବାରଙ୍କ ମଧ୍ୟରେ ସଚେତନତାର ଅଭାବରୁ ଝିଅ ବା କନ୍ୟାଙ୍କୁ ବୋଝ ଭଳି ଭାବିବା ଅତ୍ୟନ୍ତ ଦୁଃଖଦାୟକ ଓ ଉଦ୍‍ବେଗର ବିିଷୟ । ତେଣୁ କନ୍ୟାଭୃଣ ହତ୍ୟାକୁ ରୋକିବା, ବାଲ୍ୟ ବିବାହକୁ ବନ୍ଦ କରିବା, ଯୌତୁକ ନିର୍ଯ୍ୟାତନା ଭଳି ଘଟଣାକୁ ସଂପୁର୍ଣ୍ଣ ରୂପେ ବନ୍ଦ କରିବା ନିତାନ୍ତ ଆବଶ୍ୟକ । ମୁଁ ଜଣେ ଝିଅ, ସମାଜ ପରିବର୍ତ୍ତନର ନେତୃତ୍ୱରେ ନେବି, ପରିକଳ୍ପନାକୁ ସଫଳ କରିବା ପାଇଁ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ଆହ୍ୱାନ କରିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଝିଅମାନେ ନିଜ ପ୍ରଚେଷ୍ଟା ବଳରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଚାଲିଛନ୍ତି । ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ଧିରେ ଧିରେ ପରିବର୍ତ୍ତନ ଆସୁଛି । ଏ କ୍ଷେତ୍ରରେ ଅନ୍ତର୍ଜତୀୟ କନ୍ୟାସନ୍ତାନ ଦିବସ ସର୍ବାଧିକ ଗୁରୁତ୍ୱ ବହନ କରୁଥିବା ଜଣାପଡିଛି । ଜାତିସଂଘ ପକ୍ଷରୁ ଅକ୍ଟୋବର ମାସ ୧୧ ତାରିଖକୁ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରାଯାଇଥିଲା । ଗତ ୨୦୧୨ ମସିହାରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୧୧ ତାରିଖରେ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ