ମହାଳୟା ଅବସରରେ ଆସିକାରେ ଶ୍ରଦ୍ଧାଳୁ ଭକ୍ତଙ୍କ ପିଣ୍ଡଦାନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ପିତୃ ପୁରୁଷଙ୍କ ପିଣ୍ଡଦାନ କାର୍ଯ୍ୟ ମହାଳୟା ତିଥିରେ ଶେଷ ହୋଇଯାଇଛି। ଚଳିତବର୍ଷର ପିତୃପକ୍ଷ ପାଳନର ଶେଷ ଦିବସରେ ହିନ୍ଦୁ ସଂପ୍ରଦାୟର ଶ୍ରଦ୍ଧାଳୁ ଭକ୍ତମାନେ ପରମ୍ପରା ଅନୁସାରେ ପିତୃôପକ୍ଷ (ଅପର ପକ୍ଷ) ରେ ମାତା ଓ ପିତାଙ୍କ ତିନି ପୁରୁଷଙ୍କୁ ପିଣ୍ଡଦାନ କଲେ ସେଥିରେ ସନ୍ତୁଷ୍ଟ ହୋଇ ପୂର୍ବଜ ପିତୃପୁରୁଷମାନେ ସେମାନଙ୍କ ସନ୍ତାନ ସନ୍ତତିଙ୍କ ଉପରେ ଆଶୀର୍ବାଦ ଓ କୃପାବୃଷ୍ଟି କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଆଶ୍ୱିନ ମାସର ଅମାବାସ୍ୟା ହେଉଛି ମହାଳୟା ଅମାବାସ୍ୟା । ମହାଳୟା ଅମାବାସ୍ୟାରେ ପିତୃôପୁରୁଷଙ୍କ ଉଦ୍ଦେଶ୍ୟରେ ମହାଳୟା ଶ୍ରାଦ୍ଧ କରାଯାଇଥାଏ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ହିନ୍ଦୁ ସଂପ୍ରଦାୟର ଶ୍ରଦ୍ଧାଳୁଙ୍କ ମଧ୍ୟରୁ କେତେକ ନିଜ ଘରେ ମହାଳୟା ଶ୍ରାଦ୍ଧ କରିଥିଲା ବେଳେ ଅନ୍ୟକେତେକ ବ୍ୟକ୍ତି ମନ୍ଦିରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିର ଗୁଡିକରେ ମହାଳୟା ଶ୍ରାଦ୍ଧ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ଭକ୍ତ ମାନେ ଜଳ, ତିଳ ଓ ତର୍ପଣ ସାଙ୍ଗକୁ ପିଣ୍ଡ ଦାନ କରି ପ୍ରସାଦ ଅର୍ପଣ କରିଥିଲେ ଶ୍ରଦ୍ଧାଳୁ ଭକ୍ତ ମାନେ ମହାଳୟା ଶ୍ରାଦ୍ଧ ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ପ୍ରସାଦ କିଣି ବ୍ରାହ୍ମଣକୁ ଭୋଜନ କରାଇବା ପରେ ପ୍ରସାଦ ସେବନ କରିଥିଲେ। ପରମ୍ପରା ଅନୁଯାୟୀ ପିତୃପକ୍ଷ (ଅପରପକ୍ଷ) ଓ ମାତାଙ୍କର ପୂର୍ବ ତିନି ପୁରଷ ଓ ପିତାଙ୍କର ପୁର୍ବ ତିନି ପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଏଥିରେ ସନ୍ତୁଷ୍ଟ ହୋଇ ପିତୃ ପୁରୁଷ କୃପା ତଥା ଆର୍ଶୀବାଦ ବୃଷ୍ଟି କରନ୍ତି ବୋଲି ଲୋକକଥା ପ୍ରଚଳିତ ହୋଇ ରହି ଆସୁଛି। ହିନ୍ଦୁ ଧର୍ମାବଲମ୍ବୀ ମାନେ ନିଜ ପିତୃପୁରୁଷଙ୍କ ସଦ୍ଗତି କାମନା କରିବା ପାଇଁ ପିଣ୍ଡ ଦାନ ବେଳେ ତର୍ପଣ, ଶ୍ରାଦ୍ଧ, ବ୍ରାହ୍ମଣ ଭୋଜନ ଭଳି କାର୍ଯ୍ୟକ୍ରମ ମାନ କରିଥାନ୍ତି। ବାର, ନକ୍ଷତ୍ର ଓ ତିଥି ଭଳି ଶୁଭ ଦିନ ମାନଙ୍କରେ ପିଣ୍ଡଦାନ କଲେ ମହାପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ସାଧାରଣରେ ଏଭଳି ସାମୁହିକ ଶ୍ରାଦ୍ଧକୁ ଜଗତରନାଥ ଜଗନ୍ନାଥଙ୍କ ମନ୍ଦିରରେ କିମ୍ବା ଘରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆତ୍ମା ସଦ୍ଗତୀ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପିତୃ ପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧକର୍ମ ମଧ୍ୟରେ ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠ। ଶ୍ରଦ୍ଧାଳୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ପ୍ରତ୍ୟୁଷରୁ ପବିତ୍ର ଋଷିକୁଲ୍ୟା ନଦୀରେ ସ୍ନାନ ଶୌଚାଦି ସାରି ପୂର୍ବ ପୁରୁଷଙ୍କୁ ତିଳତର୍ପଣ, ପିଣ୍ଡଦାନ ଓ ଶ୍ରାଦ୍ଧ କରିଥିଲେ। ମହାଳୟାର ଅମବାସ୍ୟା ତିଥିରେ ଶ୍ରାଦ୍ଧ ଦେଲେ ପୂର୍ବଜଙ୍କ ମୋକ୍ଷ ପ୍ରାପ୍ତି ହୁଏ ଏବଂ ପିତୃ ପୁରୁଷ ମାନେ ପୁନଃ ଜନ୍ମମରଣ ବନ୍ଧନରୁ ମୁକ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।


