ବିଦ୍ୟୁତ୍ ଖୁଣ୍ଟି କେବୁଲ୍ରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଲା ବଡ଼ ଅଘଟଣ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ମେଇନ୍ ରୋଡ୍ସ୍ଥିତ କ୍ରାନ୍ତି ଷ୍ଟୋର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା କେବୁଲ୍ ତାରରେ ହଠାତ୍ ଶନିବାର ରାତିରେ ନିଆଁ ଲାଗିଯାଇଥିଲା। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ତାହା ଜଣାପଡ଼ିନାହିଁ। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଉଭୟ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିଥିବାବେଳେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀମାନେ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବନ୍ଦ ରଖାଯାଇଥିଲା। ଏହି ଘଟଣାକୁ ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ତେବେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିଲା।


