କେନ୍ଦ୍ରାପଡାର ବଳଗଣ୍ଡି ବଜାର ଗଜଲକ୍ଷ୍ମୀ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଓଡ଼ିଶାର ପ୍ରସିଦ୍ଧ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଏବେ ଗଜଲକ୍ଷ୍ମୀ ପୂଜାର ଧୁମଧାମ। ସହରର ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ ବଳଗଣ୍ଡି ବଜାର ଗଜଲକ୍ଷ୍ମୀ ପୂଜା କମିଟି ନିଜର ଦୀର୍ଘ ବର୍ଷର ଐତିହ୍ୟ, ପରମ୍ପରା ଏବଂ ସ୍ୱତନ୍ତ୍ର ଆକର୍ଷଣ ପାଇଁ ଶ୍ରଦ୍ଧାଳୁଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି। ୧୯୩୬ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଆଜି ଦୀର୍ଘ ଦଶନ୍ଧି ଧରି ନିଜର ଆଧ୍ୟାତ୍ମିକ ଗୌରବ ବଜାୟ ରଖିଛି। ଏହି ପୂଜାର ଇତିହାସ ବେଶ୍ ପ୍ରେରଣାଦାୟୀ। ୧୯୩୬ ମସିହାରେ ବଜାରର କିଛି ଉତ୍ସାହୀ ଯୁବକ ଡମେଇ ଚରଣ ସାହୁ, ଦୀନବନ୍ଧୁ ସାହୁ, ମଧୁ ସାହୁ, ରଘୁନାଥ ସାହୁ ଏବଂ ଶୁକଦେବ ମଣ୍ଡଳଙ୍କ ମିଳିତ ଉଦ୍ୟମରେ ଏକ ଛୋଟ ଚାଳଘରୁ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସମୟକ୍ରମେ ଏହା କେବଳ ବଳଗଣ୍ଡି ବଜାର ନୁହେଁ ବରଂ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଅଗ୍ରଣୀ ଓ ଜଣାଶୁଣା ପୂଜା ମଣ୍ଡପ ଭାବେ ଖ୍ୟାତି ଅର୍ଜନ କରିଛି। ବଳଗଣ୍ଡି ବଜାରର ମୁଖ୍ୟ ଆକର୍ଷଣ ହେଉଛି ମା’ ଲକ୍ଷ୍ମୀଙ୍କ ଅଳଙ୍କାର ଶୋଭିତ ଦିବ୍ୟ ରୂପ। ପ୍ରାୟ ୩୦ ବର୍ଷ ପୂର୍ବରୁ ମା’ଙ୍କୁ ପ୍ରଥମ କରି ଚାନ୍ଦି ଅଳଙ୍କାର ଲାଗି କରାଯାଇଥିଲା। ବର୍ତ୍ତମାନ ମା’ଙ୍କ ପାଇଁ ୨୫ କିଲୋଗ୍ରାମରୁ ଅଧିକ ଚାନ୍ଦି ଏବଂ ୧୦୦ ଗ୍ରାମର ସୁନା ଅଳଙ୍କାର ବ୍ୟବହାର କରାଯାଉଛି। ମା’ଙ୍କ ମସ୍ତକରେ ଚାନ୍ଦିର ମୁକୁଟ, ବେକରେ ଚାନ୍ଦି ହାର, ହାତରେ ପାଉଞ୍ଜି, ଗୋଡ଼ରେ ଝୁଣ୍ଟିଆ ଏବଂ ମା’ଙ୍କ ହାତରେ ପଦ୍ମ, ଚକ୍ର ଓ ଭଣ୍ଡାର ପ୍ରଭୃତି ଶୋଭା ପାଉଛି। ଏହା ସହିତ ୧୦୦ ଗ୍ରାମ ସୁନାରେ ନିର୍ମିତ ମୁଦି, ବେକର ଚିକ ଓ ହାର ମା’ ପରିଧାନ କରୁଛନ୍ତି। ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କୁ ନୂତନ ଶାଢୀ ଏବଂ ହାତରେ ଶଙ୍ଖା ପିନ୍ଧାଯାଇଥାଏ। ୨୦୧୮ ମସିହାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ପୂଜାକୁ ସ୍ଥାୟୀ ଓ ଭବ୍ୟ ରୂପ ଦେବା ପାଇଁ ପ୍ରାୟ ୪୯ ଲକ୍ଷ ଟଙ୍କା ବ୍ୟୟରେ ଏକ ଆକର୍ଷଣୀୟ ତଥା ସୁଦୃଶ୍ୟ ମଣ୍ଡପ ନିର୍ମାଣ କରାଯାଇଥିଲା। ଏହି ନୂତନ ମଣ୍ଡପ ନିର୍ମାଣ ପରଠାରୁ ପ୍ରତିବର୍ଷ ଏଠାକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅଧିକ ଶୃଙ୍ଖଳିତ ଏବଂ ମନମୁଗ୍ଧକର ହୋଇପାରିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି ଯେ ବଳଗଣ୍ଡି ମା’ ଲକ୍ଷ୍ମୀଙ୍କ ନିକଟରେ ଯେକୌଣସି ମାନସିକ କଲେ ତାହା ଅବଶ୍ୟ ପୂରଣ ହୋଇଥାଏ। ଯେଉଁ ଭକ୍ତଙ୍କ ମାନସିକ ପୂରଣ ହୁଏ, ସେମାନେ ପୂଜା ସମୟରେ ମା’ଙ୍କ ଉଦ୍ଦେଶ୍ୟରେ ନୂତନ ବସ୍ତ୍ର(ଶାଢୀ) ପ୍ରଦାନ କରିଥାନ୍ତି। ଏଥିସହ ଏଠାରେ ଏକ ଅଲୌକିକ ଦୃଶ୍ୟ ପ୍ରତିବର୍ଷ ଦେଖିବାକୁ ମିଳେ ପୂଜା ଦିନ ମା’ଙ୍କ ବାହନ ପେଚା ମଣ୍ଡପ ନିକଟରେ କିଛି ସମୟ ପାଇଁ ଆସି ବସିଥାଏ। ଏହି ଦୃଶ୍ୟ ଦେଖିବାକୁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଥାଏ। ପୂଜା ଅବସରରେ ଏଠାରେ ଶହ ଶହ ଶ୍ରଦ୍ଧାଳୁଙ୍କୁ ଦହି ପଖାଳ ଓ କ୍ଷୀରୀ ପ୍ରସାଦ ବଣ୍ଟନ କରାଯିବାର ପରମ୍ପରା ମଧ୍ୟ ବଜାୟ ରହିଛି। ପୂଜା କମିଟି ସଭାପତି ନଳିନୀକାନ୍ତ ସାହୁ, ସମ୍ପାଦକ ସୋମନାଥ ସାହୁ ଏବଂ ବରିଷ୍ଠ ସଦସ୍ୟ ବିଜୟ କୁମାର ସାହୁଙ୍କ ସୂଚନା ଅନୁସାରେ, ମା’ଙ୍କ ସୁନା ଓ ରୂପା ବେଶ ସହିତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ୯୦ବର୍ଷରେ ପହଞ୍ôଚଥିବା ମା’ଗଜଲକ୍ଷ୍ମୀଙ୍କ ପୂଜାର ଚଳିତ ବର୍ଷ ଉତ୍ସବକୁ ଅଧିକ ଜାକଜମକପୂର୍ଣ୍ଣ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଆଲୋକମାଳାରେ ଝଲସୁଥିବା ବଳଗଣ୍ଡି ବଜାର ଏବେ ଉତ୍ସବମୁଖର ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ