ଦିଗପହଣ୍ଡି ରେ ଜନଶୁଣାଣି ଶିବିର
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି . କିର୍ତ୍ତୀ ଭାସନ ଯୋଗଦେଇ ବ୍ଳକ ଅଧିନସ୍ଥ ବିଭିନ୍ନ ଗ୍ରାମର ୯୬ ବ୍ୟକ୍ତି ଙ୍କ ଅଭିଯୋଗ ଶୁଣିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲୋକ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ବହୁ ସଂଖ୍ୟକ ବ୍ୟକ୍ତି ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାସନ୍ କାର୍ଡ , ବିଭିନ୍ନ ଭତ୍ତା , ଜମିଜମା , ଘରବାରି ପଟ୍ଟା , ବ୍ୟକ୍ତିଗତ ସମସ୍ୟା , ରାସ୍ତାଘାଟ ସମସ୍ୟା ଉପରେ ପ୍ରଶାସନ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହ ଜିଲ୍ଲାପାଳ ଜଣେ ଦିବ୍ଯାଙ୍ଗ ଯୁବତୀଙ୍କୁ ଲାପଟପ୍ , ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ , ଆଶାବାଡି ପ୍ରଦାନ କରିବା ସହ ୩ ଜଣ ହିତାଧିକାରୀଙ୍କୁ ଦେହ ଅସୁସ୍ଥତା କାରଣରୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ମଙ୍ଗଳବାର ଠାରୁ ଗଞ୍ଜାମ ଜିଲ୍ଲାରେ ଧାନମଣ୍ଡି ଶୁଭାରମ୍ଭ ହେବାକୁ ଥିବା ବେଳେ ଏହି ପ୍ରକ୍ରିୟା ଆଗାମୀ ୩ ମାସ ଯାଏଁ ଚାଲୁ ରହିବ ବୋଲି ସେ ଚାଷୀଙ୍କୁ କହିଥିଲେ । ଜନ ଶୁଣାଣି ଚାଲିଥିବା ବେଳେ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମର ଅନୁସୂଚିତ ଜାତି ସମ୍ପ୍ରଦାୟର ଭୁବୁନି ବେହେରା ଙ୍କ ପୁଅ ସନ୍ତୋଷ ବେହେରା(୪୫) ପହଞ୍ଚି ଗତ ୨୦୨୨ ରେ ପଞ୍ଚାୟତ ନିର୍ବାଚନରେ ତାଙ୍କ ଭାଇ ପ୍ରକାଶ ବେହେରା ଙ୍କ ସ୍ତ୍ରୀ ରଞ୍ଜୁ ବେହେରା ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ି ୧୭ ଖଣ୍ଡ ଭୋଟ ବ୍ୟବଧାନରେ ପ୍ରତିପକ୍ଷ ପ୍ରିୟଙ୍କା ନାୟକ ଙ୍କ ଠାରୁ ପରାଜିତ ହୋଇଥିଲେ। ନିର୍ବାଚନ ସରିବାର ପ୍ରାୟ ୪ ବର୍ଷ ହେଲା ଗ୍ରାମର ଅନୁସୂଚିତ ଜାତି ର ସାହି ବାସିନ୍ଦା ରାଜନୈତିକ କାରଣରୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ନିଆଁ ପାଣି ମନା କରିବା ସହ ସାମାଜିକ ବାସନ୍ଦ କରିଥିବା ଜଣାଇଥିଲେ।ଫଳରେ ସେ ଓ ତାଙ୍କ ପରିବାର ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି।ତେଣୁ ତାଙ୍କୁ ଇଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ସେ ଜିଲ୍ଲାପାଳ ଙ୍କୁ ନିବେଦନ କରିଥିଲେ।ତାଙ୍କ କଥା ଶୁଣି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ପରେ ଜିଲ୍ଲାପାଳ ସମସ୍ତ ଘଟଣା ଧର୍ଯ୍ୟର ସହ ଶୁଣି ସନ୍ତୋଷ ଙ୍କୁ ଆଶ୍ଵାସନା ଦେଇଥିଲେ।ଉପସ୍ଥିତ ବ୍ରହ୍ମପୁର ଉପ ଜିଲ୍ଲାପାଳ, ଅତିରିକ୍ତ ଏସ.ପି ,ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ବିଡ଼ିଓ ଅନାମିକା ପାଣ୍ଡେ ଙ୍କୁ ଘଟଣାର ଅନୁଧ୍ୟାନ କରି ତୁରନ୍ତ ଗାଁ କୁ ସ୍ଥାନୀୟ ପୋଲିସ ପ୍ରଶାସନିକ ଅଧିକାରୀ ବୃନ୍ଦ ଯାଇ ସାହି ବାସିନ୍ଦା ଙ୍କ ସହ ସବିଶେଷ ଆଲୋଚନା କରି ଘଟଣାର ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ଏହି ଜନ ଶୁଣାଣି ଶିବିରରେ ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ , ତହସିଲଦାର ସନ୍ତୋଷ କୁମାର ସାହୁ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମେଶ ଚନ୍ଦ୍ର ସେଠୀ , ଜିପିଡିଓ ରୋଜାଲିନ ଦଳାଇ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ରଶ୍ମୀ ପ୍ରକାଶିନୀ ଜାନୀ , ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାୟ , ଚିକିଟି ଏସ୍ ଡିପିଓ ବିଶ୍ଵାମିତ୍ର ହରପାଲ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ଏଡିଓ , କନିଷ୍ଠ ଯନ୍ତ୍ରୀ , ରାଜସ୍ବ ନୀରିକ୍ଷକ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ , ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦ , ବହୁ ସଂଖ୍ୟକ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ଥିଲେ ।


