ବିଳମ୍ବିତ ରାତିରେ ଗୁହାଳୁ ଛେଳି ଚୋରି : ଥାନାରେ ଲିଖିତ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମର ଉଲ୍ଲାସ ଦାସଙ୍କ ଗୁହାଳୁ ଛେଳି ଚୋରି ଯାଇଥିବା ଉଲ୍ଲାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଶନିବାର ବିଳମ୍ବିତ ରାତିରେ କେହି ଦୁବୃତ ତାଙ୍କ ଗୁହାଳର କବାଟ ଭାଙ୍ଗି ୧୬ଟି ଛେଳି ନେଇ ଯାଇଛନ୍ତି। ଛେଳି ବେପାର କରି ଉଲ୍ଲାସ ପରିବାର ପ୍ରତିପୋଷଣ କରୁଥିବା ବେଳେ ଛେଳି ଚୋରି ହୋଇ ଥିବାରୁ ସେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧୮୩ /୨୬ ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ନାଉଗାଁ ଏବଂ ଏହାର ଆଖପାଖ ଅଂଚଳରୁ ପ୍ରାୟ ରାତି ସମୟରେ ବାରମ୍ବାର ଛେଳି ଚୋରି ଯାଉଛି। ଦୁବୃର୍ତମାନେ ଛେଳି କ୍ରୟ କରିବା ଆଳରେ ଦିନରେ ଗାଁ ଗାଁ ବୁଲି ଛେଳି ଗୁହାଳ ବୁଲି ଦେଖୁଛନ୍ତି। ସୁବିଧା ଦେଖି ରାତିରେ ଆସି ଛେଳି ଚୋରାଉ ଥିବା ସ୍ଥାନୀୟ ଲୋକ ମତବ୍ୟକ୍ତ କରିଛନ୍ତି। ଏପରିକି ଛେଳି ନେବା ସମୟରେ ସେମାନେ କିଛି ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି । ଯାହାଫଳରେ ଛେଳିମାନେ କୌଣସି ଶଦ୍ଧ ମଧ୍ୟ କରୁନାହାନ୍ତି। ଏହି ଚୋରିରେ ସ୍ଥାନୀୟ ଅଂଚଳର କିଛି ବେପାରୀଙ୍କର ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି। ସେହିପରି ଗତ ୨ଦିନ ତଳେ ପାରାଦୀପ ଠାରେ ବସ ମଧ୍ୟରେ ଛେଳି ଚେରା ଚାଲାଣ ହେଉଥିବା ବେଳେ ଧରା ଯାଇଥିଲା। ଧରା ଯାଇଥିବା ଛେଳି ପ୍ରକୃତରେ ବାହାରୁ ଆସିଛନ୍ତି ନା ଉକ୍ତ ଅଂଚଳରୁ ଯାଇଛନ୍ତି ତାହା ତଦନ୍ତ ସାପେକ୍ଷ।


