ଦଣ୍ଡମାରୀ ଝଙ୍କଡ ମା’ଶାରଳାଙ୍କ ପୀଠରୁ କାକଟପୁର ମା’ମଙ୍ଗଳାଙ୍କ ପୀଠକୁ ଯାତ୍ରା
ନାଉଗାଁ,(ଓ୍ବାଇଏନଏସ) :ସୋମବାର ଜଣେ ଯୁବତୀ ଦଣ୍ଡମାରୀ ଜଗତସିଂହପୁର ଜିଲା ଝଙ୍କଡସ୍ଥିତ ମା’ଶାରଳାଙ୍କ ପୀଠରୁ ନାଉଗାଁ ବ୍ଲକ ଦେଇ ପୁରୀ ଜିଲା ଅନ୍ତର୍ଗତ କାକଟପୁରସ୍ଥିତ ମା’ମଙ୍ଗଳାଙ୍କ ପୀଠକୁ ଯାଉଥିବା ଦେଖିବାକୁ ମିଳିଛି। ଯିବା ବାଟରେ ବିଭିନ୍ନ ସ୍ଥାନରେ ଜନସାଧାରଣ ଦେଖୁଥିବା ବେଳେ ତାଙ୍କୁ ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇବାକୁ ମଧ୍ୟ ଦେଉଥିଲେ। ଯୁବତୀ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲା ସଦର ଥାନା ଅନ୍ତର୍ଗତ କଦଳୀବାରୀ ଗ୍ରାମର ରେଣୁକା ମଲିକ,ବୟସ ୨୧ବର୍ଷ। ରେଣୁକାଙ୍କ କହିବା ମୁତାବକ ସେ ବିଏସସି ନର୍ସିଂ କରିବା ସହିତ ଏକ ନିର୍ସିଂହୋମରେ ଚାକିରି କରୁଥିଲେ। ୨ବର୍ଷ ତଳେ ସେ ଘର ପାଖ ଏକ ପୋଖରୀରେ ଗାଧୋଇବା ସମୟରେ ଏକ ମୂର୍ତି ପାଇଥିଲେ। ଉକ୍ତ ମୂର୍ତିଟି ମା’ଙ୍କର ଥିଲା। ମୂର୍ତିଟି ପାଇବା ପରେ ମା’ଙ୍କର ସ୍ୱପ୍ନାଦେଶ ହେଲା। ଯାହାଫଳରେ ମୁଁ ଚାକିରି ଛାଡି ଘରେ ରହିଛି। ପ୍ରତି ମଙ୍ଗଳବାର ମା’ ମୋ ଦେହରେ ଆସୁଥିଲେ। ମା’ ଆସିବା ଯୋଗୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ସମସ୍ୟା ନେଇ ଆସିବା ଯୋଗୁ ସେମାନଙ୍କର ସମସ୍ୟା ମା’ଙ୍କ ମାଧ୍ୟମରେ ସମାଧାନ କରାଯାଉଥିଲା। ତେଣୁ ମା’ଙ୍କର ସ୍ୱପ୍ନାଦେଶ ହେଲା ଯେ କେନ୍ଦ୍ରାପଡାରୁ କାକଟପୁର ମଙ୍ଗଳାଙ୍କ ନିକଟକୁ ଦଣ୍ଡମାରି ଯିବାକୁ ପଡିବ। ମା’ଙ୍କ ସ୍ୱପ୍ନାଦେଶ କ୍ରମେ ମୁଁ କେନ୍ଦ୍ରାପଡାରୁ ନ ବାହାରି ଝଙ୍କଡସ୍ଥିତ ଶାରଳାଙ୍କ ପୀଠରୁ ବାହାରିଥିଲି। ସୋମବାର ପ୍ରାତଃ ସମୟରୁ ମା’ଙ୍କ ଦର୍ଶନ କରି ଦଣ୍ଡମାରି ଗୋଟିଏ ଦିନ ପରେ ନାଉଗାଁ ପହଂଚିଥିଲି। ମଙ୍ଗଳବାର ମଧ୍ୟରେ ମା’ମଙ୍ଗଳାଙ୍କ ପୀଠରେ ପହଂଚିବା ପାଇଁ ମୋତେ ନିର୍ଦ୍ଦେଶ ହୋଇଥିବା ରେଣୁକା କହିଛନ୍ତି। ରେଣୁକାଙ୍କ ସହିତ ସଂପର୍କିୟ ଝିଆରୀ ସ୍ନେହଲତା ମଲିକ ଓ ପୁତୁରା ପ୍ରମୋଦ ମଲିକ ପାଦରେ ଚାଲି ଯାଉଛନ୍ତି। ରେଣୁକା ହେଉଛନ୍ତି ଭୀମ ମଲିକ ଓ ପ୍ରାଚଳୀ ମଲିକଙ୍କ ବଡ ଝିଅ।


