ମୁଣ୍ଡାଳ ବଜାରରେ ହରପାର୍ବତୀ ପୂଜାର ସୁବର୍ଣ୍ଣ ଜୟନ୍ତୀ
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମୁଣ୍ଡାଳ ବଜାରରେ ହରପାର୍ବତୀ ପୂଜାର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି। ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନାନୁଯାୟୀ, ନାଉଗାଁ ବ୍ଲକର ତତ୍କାଳୀନ ଅଧ୍ୟକ୍ଷ ସ୍ୱର୍ଗତ ସୁନୀଲ ରାୟ ଏହି ପୂଜାର ଶୁଭାରମ୍ଭ କରିଥିଲେ। ସେବେଠାରୁ ବଜାରର ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ୫୦ ବର୍ଷ ଧରି ଏହି ପୂଜା ପାଳିତ ହୋଇଆସୁଛି। କମିଟି ସଦସ୍ୟ ବୀରେନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା ଆୟୋଜିତ ହୋଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ସପ୍ତମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ଦଶହରା ଅବସରରେ ମୁଣ୍ଡାଳ ର ଗାୟତ୍ରୀ ସଂଗୀତ ଏକାଡେମୀ ଓ ନୁର୍ତ୍ୟାଙ୍ଗନା ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୂଜାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପୂଜାର ପ୍ରତିଷ୍ଠାତା ସ୍ୱର୍ଗତ ସୁନୀଲ ରାୟଙ୍କ ପୁତ୍ର ସମୀର ରାୟଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ନାଉଗାଁ ଅଞ୍ଚଳର ରାଜନେତା, ସାମାଜିକ କର୍ମୀ, ବରିଷ୍ଠ ନାଗରିକ ଓ ନୃତ୍ୟଗୁରୁ ନାରାୟଣ ପରିଡ଼ାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବଜାର କମିଟିର ସୁବ୍ରତ ମଲ୍ଲିକ, ମିଲନ ରାୟ, ରମେଶ ରାୟ, ସୌମ୍ୟରଞ୍ଜନ ମହାନ୍ତି, ଫକୀରମୋହନ ମହାନ୍ତି ଓ ଆର୍ତ୍ତବନ୍ଧୁ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏହି ପୂଜା ଓଡ଼ିଆ ସଂସ୍କୃତି, ଧାର୍ମିକ ଆସ୍ଥା ଓ ସାମାଜିକ ଭାଇଚାରାର ପ୍ରତୀକ ହୋଇ ରହିଥିବା ବୁଦ୍ଧିଜୀବୀମାନେ ମତପ୍ରକାଶ କରିଥିଲେ।


