୪ ଦଫା ଦାବି ନେଇ ଶିକ୍ଷକଙ୍କ ଆନ୍ଦୋଳନ
ହାଟଡିହି (ଓ୍ବାଇଏନଏସ): ନିଜର ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମିତି ପକ୍ଷରୁ ହାଟଡିହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରିବା, ପୂର୍ଣ୍ଣ ଶିକ୍ଷକ ନିଯୁକ୍ତି ଏବଂ ଅବସର ପରେ ପେନସନ ଲାଗୁ ଭଳି ମୁଖ୍ୟ ୪ ଦଫା ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ହାଟଡିହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସରକାର ଯଦି ଶୀଘ୍ର ଦାବି ପୂରଣ ନ କରନ୍ତି, ତେବେ ଏହି ଆନ୍ଦୋଳନକୁ ବ୍ଲକ ସ୍ତରରୁ ଜିଲ୍ଲା ଏବଂ ପରେ ରାଜ୍ୟବ୍ୟାପୀ ଆହୁରି ତୀବ୍ର କରାଯିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ସାମିଲ ହୋଇଥିବା ଶିକ୍ଷକଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଦୀର୍ଘ ୮ ବର୍ଷ ଧରି ସରକାରଙ୍କୁ ନିଜର ସମସ୍ୟା ଜଣାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଶିକ୍ଷା ବ୍ୟବସ୍ଥାକୁ ସୁଚାରୂ ଭାବେ ପରିଚାଳନା କରୁଥିବା ଏହି କର୍ମଚାରୀମାନେ ଏବେ ଅସହାୟ ଅନୁଭବ କରୁଛନ୍ତି । ସେମାନଙ୍କ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନନେଲେ ସେମାନେ ୭ ତାରିଖ ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବେ ବୋଲି ନିଷ୍ପତି ନେଇଛନ୍ତି। ସରକାର ତୁରନ୍ତ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର ନକଲେ ଆଗାମୀ ଦିନରେ ସ୍ଥିତି ଗମ୍ଭୀର ହେବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜିର ଏହି ଆନ୍ଦୋଳନରେ ଜିଲ୍ଲା ଓଷ୍ଟା ସଂଘର ସମ୍ପାଦକ ରଞ୍ଜନ କୁମାର ଘଡେଇ, ଓଷ୍ଟା ସଂଘର ବ୍ଲକ ସଭାପତି ନବଘନ ନାୟକ, ଓଷ୍ଟା ସଂଘର ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ସେଠୀ, ଏନ ପି ଏସ ସଂଘର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ଅଫିସ ସଂଚାଳକ ପ୍ରଦୀପ କୁମାର ସାହୁ, ଶିକ୍ଷକ ନେତା ବିଧୁ ଭୂଷଣ ପୁହାଣ, ଅବସରପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ନବ କିଶୋର ବିଶ୍ୱାଳ, ଶିକ୍ଷକ ନେତା ବିବେକାନନ୍ଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।


