ସେବାଶ୍ରମରେ ବିପଦଜନକ ସ୍ଥିତି : ପାଠପଢା ବଦଳରେ ନିର୍ମାଣ କାର୍ଯ୍ୟ ପାଇଁ ଛାତ୍ରୀଙ୍କ ମୁଣ୍ଡରେ ବୁହାଗଲା ଇଟା ଓ ମାଟି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିପଦଜନକ ସ୍ଥିତିରେ ଥିବା ସାମ୍ନାକୁ ଆସିଛି. ଏକ ସେବାଶ୍ରମରେ ଛାତ୍ରୀମାନଙ୍କୁ ପାଠପଢା ବଦଳରେ ନିର୍ମାଣ କାର୍ଯ୍ୟ ପାଇଁ ସେମାନଙ୍କ ମୁଣ୍ଡରେ ଇଟା ଓ ମାଟି ବୁହା ଯିବା ଏକ ଦୁଃଖଦ ଦୃଶ୍ୟ ଲୋକଲୋଚନକୁ ଆସିଛି. ସରକାରଙ୍କ ତରଫରୁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ନିକଟତର କରିବା ପାଇଁ ଆବାସିକ ବିଦ୍ୟାଳୟ ବା ସେବାଶ୍ରମର ବ୍ୟବସ୍ଥା ରହିଛି. ହେଲେ ଗଜପତି ଜିଲ୍ଲା ପଦ୍ମପୁର ସେବାଶ୍ରମରେ ଛାତ୍ରୀମାନେ ପାଠ ପଢିବା ବଦଳରେ ମୁଣ୍ଡରେ ଇଟା ଓ ମାଟି ବୋହିବା ଭିଡିଓ ଓ ଫଟୋ ଏବେ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ସେଠାରେ ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ଶିଶୁ ଶ୍ରମିକ ସାଜିଛନ୍ତି। ବିଦ୍ୟାଳୟ ପରିସରରେ ଚାଲିଥିବା କୋଠା ନିର୍ମାଣ କାର୍ଯ୍ୟରେ କୋମଳମତି ଶିଶୁମାନେ ମୁଣ୍ଡରେ ଇଟା ବୋହୁଥିବାର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ନେଇ ପ୍ରଶାସନ ବିହିତ ଅନୁଧ୍ୟାନ ଓ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


