ସ୍ୱାସ୍ଥ୍ୟସେବା ବିପଦଜନ୍ନକ: ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ତାଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ବିପଦଜନ୍ନକ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି. ସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ରହିଥିବା ସରକାରୀ ଡାକ୍ତରଖାନାରେ ତାଲା ପଡ଼ିଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ଆସିଥିବା ରୋଗୀ ଡାକ୍ତରଖାନା ବାହାରେ ବର୍ତ୍ତମାନର ଖରାଦିନର ପ୍ରଚଣ୍ଡ ଉତ୍ତାପରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ତଥା ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର କିମ୍ବା କର୍ମଚାରୀ ନଥିବା ଯୋଗୁଁ ଚିକିତ୍ସାଳୟରେ ତାଲା ଝୁଲୁଥିବାର ଦେଖିବାକୁମିଳୁଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ କୌଣସି ରାସ୍ତା ନ ପାଇ ପଡୋଶୀ ଆନ୍ଧ୍ରର ଘରୋଇ ଚିକିତ୍ସାଳୟକୁ ଯାଇ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନ ପ୍ରାୟ 3.30 ସମୟରେ ରୋଗୀ ଜଣକ ଚିକିତ୍ସା ପାଇଁ ଆସିଥିଲେ ହେଁ ତାଲା ପଡିଥିବା ଯୋଗୁଁ ଫାଟକ ନିକଟରେ ଶୋଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଗାରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବାଲାଜୀପୁର ଗ୍ରାମର ପି.ଗଣେଶ ନାମକ ଜଣେ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କ ପରିବାର ଲୋକେ ଏକ ଅଟୋ ଯୋଗେ ଏହି ଡାକ୍ତରଖାନାକୁ ଆଣିଥିଲେ. ହେଲେ ତାଲା ପଡିଥିବାର ଦେଖି ଉପାୟ ଶୂନ୍ୟ ହୋଇଯାଇଥିଲେ । ଅତ୍ୟାଧିକ ଉତ୍ତାପ ସାଙ୍ଗକୁ ଗୁରୁତର ଅବସ୍ଥାରେ ସେହି ଫାଟକ ନିକଟରେ ହିଁ ଶୋଇ ରହିଥିଲେ । ତାଙ୍କ ପରିବାର ଲୋକେ ତାଙ୍କ ସେବା ଶୁଶ୍ର କରି ଡାକ୍ତର କିମ୍ବା କର୍ମଚାରୀ ଆସିବେ ବୋଲି ବହୁ ସମୟ ଧରି ଅପେକ୍ଷା କରିଥିଲେ । ସେପଟେ ଗଣେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ । ତେବେ ଏପରି ଅବସ୍ଥା ଦିନେକି ଦୁଇ ଦିନ ନୁହେଁ ଦୀର୍ଘ 8 ମାସରୁ ଅଧିକା ସମୟ ଧରି ଏହି ଚିକିତ୍ସାଳୟରେ ଏପରି ତାଲା ଝୁଲୁଥିବା ଅବସ୍ଥା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ କହିଛନ୍ତି । 8 ମାସ ପୂର୍ବେ ଏହି ଚିକିତ୍ସାଳୟର ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ ପରେ ଏହି ପଦବୀ ଖାଲି ପଡିଥିବା ବେଳେ ଦାୟିତ୍ୱରେ ଥିବା ଜଣେ ଅବସରପ୍ରାପ୍ତ ଡାକ୍ତର ମଧ୍ୟ ଏହି ଡାକ୍ତରଖାନା ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ହେଲେ ବିଗତ ମାସରେ ପୁଣି ସେହି ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସକ ପୁନଃ ଅବସ୍ଥାପିତ କରିଛନ୍ତି । ତେବେ ଡାକ୍ତର ଜଣକଙ୍କ ଅତ୍ୟାଧିକ ବୟସ ହୋଇଥିବାରୁ ସେ ଅଧିକା ସମୟ ଦେଇପାରୁ ନାହାନ୍ତି । ଏପରି ସ୍ଥଳେ ଏଲୋପଥି ଚିକିତ୍ସା ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେଣୁ ଏଠାରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ତୁରନ୍ତ ନିଯୁକ୍ତି କରାଯାଉ ବୋଲି ଦାବୀ ହୋଇଛି।


