ଜଗତପୁରରେ ଅବକାରୀ ବିଭାଗର ବଡ଼ ଚଢ଼ାଉ:୧୪୬ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଜଗତପୁର ଥାନା ଅନ୍ତର୍ଗତ ଖଇରା କେନାଲ ରୋଡ୍‌ରେ ଚଢ଼ାଉ କରି ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ୟୁନିଟ୍‌-୧ର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ୧୪୬ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଅଭିଯୋଗରେ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲେ ପ୍ରଶାନ୍ତ କୁମାର ବେହୁରା। ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କଟରପା (ଗରୁଡ଼ାପୁର) ଗ୍ରାମରେ। ସେ ନିରୋଦ କୁମାର ବେହୁରାଙ୍କ ପୁଅ ବୋଲି ଜଣାପଡ଼ିଛି। ଅବକାରୀ ଅଧୀକ୍ଷକ ସମରଜିତ୍ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏବଂ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବ୍ରାଉନ୍ ସୁଗାର ସହ ଏକ ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ଜବତ ମୋଟରସାଇକେଲର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା। ଉଭୟ ଜବତ ସାମଗ୍ରୀର ମୋଟ ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୪୦ ହଜାର ଟଙ୍କା ହେବ। ଏହି ଘଟଣାରେ ଏନଡ଼ିପିଏସ ଆଇନ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ କଟକ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ଚଢ଼ାଉକାରୀ ଦଳରେ ଇନ୍ସପେକ୍ଟର ହୀରା ଦଳପତି, ସବ୍‌-ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଅମିତ କୁମାର ବିଶ୍ୱାଳ, ଏଏସ୍‌ଆଇ ଅଜୟ କୁମାର ସାହୁଙ୍କ ସମେତ ମହିଳା କନଷ୍ଟେବଳ ରୋଜାଲିନ୍ ପଟ୍ଟନାୟକ ଓ ସସ୍ମିତା ସାହୁ, କନଷ୍ଟେବଳ ଜଗନ୍ନାଥ ସାହୁ, ସୁମିତ କୁମାର ନାଏକ, ଶଙ୍କର୍ଷଣ ରାଉତ, ରଞ୍ଜିତ ସାହୁ ଏବଂ ଡ୍ରାଇଭର ବିକାଶ ମଲ୍ଲିକ ସାମିଲ ଥିଲେ। କଟକ ଜିଲ୍ଲାକୁ ନିଶାମୁକ୍ତ ରଖିବା ସହ ବେଆଇନ ନିଶାଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ