ଚୋରାମଦ ଓ ନିଶାଦ୍ରବ୍ୟ କାରବାର, ୩ ବର୍ଷରେ ୯୦୯ ଗିରଫ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଚୋରାମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବେଆଇନ କାରବାରକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ତିନି ବର୍ଷ ମଧ୍ୟରେ ଏହି ବେଆଇନ କାରବାର ସମ୍ପର୍କିତ ମାମଲାରେ ମୋଟ ୯୦୯ ଜଣଙ୍କୁ ଗିରଫ କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବିଧାନସଭାରେ ଅଣତାରକା ପ୍ରଶ୍ନ ସଂଖ୍ୟା ୧୨୬୯ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇଥିଲେ। ନିର୍ବାଚନମଣ୍ଡଳୀରେ ଚୋରାମଦ ଓ ଡ୍ରଗ୍ସ କାରବାର ବୃଦ୍ଧି ସମ୍ପର୍କରେ ସରକାର ଅବଗତ ଅଛନ୍ତି କି, ଏହାକୁ ରୋକିବା ପାଇଁ କି ପଦକ୍ଷେପ ନିଆଯାଉଛି ଏବଂ ଗତ ତିନି ବର୍ଷରେ କେତେ ପରିମାଣର ଚୋରାମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ ହୋଇଛି ଓ କେତେଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଚୋରାମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବେଆଇନ କାରବାରକୁ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ, ଆକସ୍ମିକ ଯାଞ୍ଚ ଏବଂ ଗୁପ୍ତ ସୂଚନା ଆଧାରରେ ଅଭିଯାନ ଚାଲୁ ରହିଛି। ଏଥିସହ ପୋଲିସ ବିଭାଗର ସହଯୋଗରେ ମିଳିତ ଚଢ଼ାଉ ମଧ୍ୟ କରାଯାଉଛି। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ବିଗତ ତିନି ବର୍ଷ ମଧ୍ୟରେ ଆନନ୍ଦପୁର ଅବକାରୀ ଅଞ୍ଚଳରେ ଏହି ବେଆଇନ କାରବାର ସମ୍ପର୍କିତ ମାମଲାରେ ମୋଟ ୯୦୯ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ବିରୋଧରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ ଏବଂ ଏନ୍‌ଡିପିଏସ୍‌ ଆଇନ, ୧୯୮୫ର ପ୍ରାସଙ୍ଗିକ ଧାରା ଅନୁଯାୟୀ ଆଇନଗତ ଓ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଅଞ୍ଚଳରେ ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅବକାରୀ ବିଭାଗର ପ୍ରବର୍ତ୍ତନମୂଳକ କାର୍ଯ୍ୟ ନିୟମିତ ଜାରି ରହିଥିବା ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ