ବାଲେଶ୍ଵରରେ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଧାୟକ ପୀଡ଼ିତଙ୍କୁ ବାଣ୍ଟିଲେ ରନ୍ଧା ଖାଦ୍ୟ

ବାଲେଶ୍ବର(ସରୋଜ ପଣ୍ଡା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ରେକର୍ଡ଼ ମାତ୍ରାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି। ଏହି ଲଗାଣ ବର୍ଷା ଓ ବନ୍ୟା ଜଳରେ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏକାଧିକ ପଞ୍ଚାୟତ  ଓ ପୌରାଞ୍ଚଳର ୫ଟି ୱାର୍ଡ଼ ଏବେ ପାଣିଘେରରେ ଥିବା ସୂଚନା ମିଳିଛି। ସମ୍ଭାବ୍ୟ ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ର ସୁପରିଚାଳନା ପାଇଁ ତତ୍ପରତା ଦେଖାଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ବଇଁଚା ପଞ୍ଚାୟତର ଗୁଜୁରୀବଜାର ଠାରେ ବିଧାୟକ ଶ୍ରୀ ଦତ୍ତ ପହଞ୍ଚି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ସମ୍ଭାବ୍ୟ ଏକ ବଡ଼ ବନ୍ୟାର ମୁକାବିଲା ପାଇଁ ସମସ୍ତ ସହାୟତା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ସେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବେ ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ରହିବା ଏବଂ ବନ୍ୟା ପୀଡ଼ିତଙ୍କ ପାଇଁ ଆଶ୍ରୟସ୍ଥଳ ଗୁଡିକରେ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଥିଲେ। ଲଘୁଚାପ ସାଙ୍ଗକୁ ଏବେ ପୂର୍ଣ୍ଣିମା ତିଥି ଥିବା ଯୋଗୁଁ ବନ୍ୟା ପରିସ୍ଥତି ଜଟିଳ ହେବାର ଆଶଙ୍କା ଥିବାରୁ ଏହାର ସଠିକ୍ ମୁକାବିଲା ପାଇଁ ପଞ୍ଚାୟତସ୍ତରରେ ପ୍ରଶାସନ  ପ୍ରସ୍ତୁତ ରହିବାକୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ସମୟରେ ସମସ୍ତେ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ପରାମର୍ଶକୁ ପାଳନ କରିବାକୁ ସେ ଜନସାଧାରଣଙ୍କୁ  ପରାମର୍ଶ ଦେଇଥିଲେ।  ପରେ ବିଧାୟକ ଶ୍ରୀ ଦତ୍ତ ବାଲେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ସୁଏଲପୁର ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏକ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ବର୍ଷାରେ ପ୍ରଭାବିତ ହୋଇ ସେଠାରେ ଆଶ୍ରୟ ନେଇଥିବା ଭାଇଭଉଣୀମାନଙ୍କୁ ବିଧାୟକ ଶ୍ରୀ ଦତ୍ତ ରନ୍ଧା ଖାଦ୍ୟ ବିତରଣ କରିଥିଲେ । ପୌରାଞ୍ଚଳର ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ନିରନ୍ତର ପହଞ୍ଚାଇବାକୁ ପ୍ରୟାସ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ