ଏନ୍‍ସିସି ଶିକ୍ଷକ ଓ ଭିତ୍ତିଭୂମୀ ଅଭାବ: ଅଧିକାଂଶ ସରକାରୀ ବିଦ୍ୟାଳୟରେ ନାହିଁ ଏନ୍‍ସିସି!

ଆସିକା (ୱାଇଏନ୍‍ଏସ୍‍) : ଅଗ୍ନିବୀର, ପୋଲିସ କିମ୍ବା ସେନାରେ କାମ କରିବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀ ସବୁବେଳେ ବିଦ୍ୟାଳ୍ୟରେ ଏନ୍‍ସିସିରେ ସାମିଲ୍‍ ହେବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ହାଇସ୍କୁଲ ଓ କଲେଜରୁ ଏନ୍‍ସିସିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ସହ ସ୍ୱତନ୍ତ୍ର ପ୍ରମାଣପତ୍ର ମଧ୍ୟ ପାଇଥାଏ । ଯାହା ଏନ୍‍ସିସିରେ ସାମିଲ୍‍ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ନିଜର ଲକ୍ଷ୍ୟପଥରେ ପହଞ୍ଚାଇବାରେ ବିଶେଷ ସହାୟକ ହୋଇଥାଏ । ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ଥିବା ୩୩ଟି ସରକାରୀ ହାଇସ୍କୁଲ ଓ ୪ଟି କଲେଜ ମଧ୍ୟରୁ ହାତଗଣତି କିଛି ଶିକ୍ଷାନୁଷ୍ଠାନକୁ ଛାଡିଦେଲେ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଇଁ ଏନ୍‍ସିସି ଯେମିତି ସ୍ୱପ୍ନ ପାଲଟିଯାଇଛି । ଆସିକା ଅଞ୍ଚଳରେ ଥିବା ୩୩ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ମାତ୍ର ୫ ରୁ ୬ଟି ହାଇସ୍କୁଲକୁ ଛାଡିଦେଲେ ଅଧିକାଂଶ ସ୍କୁଲରେ ଏନ୍‍ସିସି ନାହିଁ । ସେହିିଭଳି ଆସିକା ଅଞ୍ଚଳର ୪ଟି କଲେଜ ମଧ୍ୟରୁ ୩ଟି କଲେଜକୁ ଛାଡିଦେଲେ ଗୋଟିଏ କଲେଜରେ ଏନ୍‍ସିସି ନଥିବା ଜଣାପଡିଛି । ଫଳରେ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏନ୍‍ସିସି ପ୍ରଶିକ୍ଷଣରୁ ବଂଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ବିଦ୍ୟାଳୟ ସ୍ତରରୁ ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏନ୍‍ସିସି ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏଥିପାଇଁ ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍‍ସିସି (ଜାତୀୟ କ୍ୟାଡେଟ୍‍ କର୍ପସ୍‍)କୁ ସୁଦୃଢ କରିବା ସହିତ ଏନ୍‍ସିସି ଭିତ୍ତିଭୂମିକୁ ମଜବୁତ୍‍ କରି ଛାତ୍ରଛାତ୍ରୀଙ୍କୁ ତାଲିମ୍‍ ଦେବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଛି । ଆସିକା ଅଞ୍ଚଳରେ ଥିବା ବହୁ ହାଇସ୍କୁଲ ଓ କଲେଜ ଗୁଡିକରେ ଏନ୍‍ସିସି ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଥିଲେ ବି ସେଥିରୁ ସେମାନେ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍‍ସିସି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯିବାର ବ୍ୟବସ୍ଥା ନଥିବା ବେଳେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ । ଉକ୍ତ ଶିକ୍ଷକ ପ୍ରଥମେ ନିଜେ ତାଲିମ୍‍ ନେବା ପରେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ତାଲିମ୍‍ ପ୍ରଦାନ କରିଥାନ୍ତି । ତେବେ ଆସିକା ଅଞ୍ଚଳର ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍‍ସିସି ଶିକ୍ଷକ ଓ ଭିତ୍ତିଭୂମି ଅଭାବ ଯୋଗୁଁ ଏହି କାର୍ଯ୍ୟକ୍ରମ ବାଟବଣା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ୪୦ ବର୍ଷରୁ କମ୍‍ ବୟସର ଶିକ୍ଷକଙ୍କୁ ଏନ୍‍ସିସି ଶିକ୍ଷକର ଦାୟିତ୍ୱ ପ୍ରଦାନ ପାଇଁ ନିୟମ ରହିଛି । ଏନ୍‍ସିସି ଛାତ୍ରଛାତ୍ରୀଙ୍କ ଜୀବନରେ ଶୃଙ୍ଖଳା ଆଣିବା ସହ ପାଠପଢା, ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ ଏବଂ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିଥାଏ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ଓ ବଡ ବଡ କାର୍ଯ୍ୟକ୍ରମ ସମୟରେ ଏନ୍‍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରିଲିଫ୍‍ ବଣ୍ଟନ, ଔଷଧ ବଣ୍ଟନ୍‍, ଟ୍ରାଫିକ୍‍ ନିୟନ୍ତ୍ରଣ ଓ ବନ୍ୟାବାତ୍ୟା ପରବର୍ତ୍ତୀ କାଳୀନ ଉଦ୍ଧାର କାର୍ଯ୍ୟରେ ଏନ୍‍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଶିକ୍ଷାନୁଷ୍ଠାନ ସ୍ତରରେ ବିଦ୍ୟାର୍ଥୀମାନେ ଏନ୍‍ସିସିରେ ସାମିଲ୍‍ ହେଲେ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଜାଗ୍ରତ ହେବା ସାଙ୍ଗକୁ ଜୀବନରେ ଶିଷ୍ଟାଚାର, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ସଂପର୍କରେ ଜ୍ଞାନ ଆହରଣ କରିବା ସାଙ୍ଗକୁ ଶାରୀରିକ ସୁସ୍ଥତା କ୍ଷେତ୍ରରେ ସହାୟକ ହୋଇଥାନ୍ତି । ଏନ୍‍ସିସି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ଭାଗନେଲେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସାଙ୍ଗକୁ ନେତୃତ୍ୱ ନେବାର ସାହସିକତା ପାଇବା ସହ ବିଭିନ୍ନ ସମୟରେ ବୃକ୍ଷରୋପଣ, ରକ୍ତଦାନ, ସ୍ୱଚ୍ଛତା ଅଭିଯାନ ସମେତ ବହୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରିବା ପାଇଁ ଆଗେଇ ଆସିବା ସାଙ୍ଗକୁ ସେମାନଙ୍କ ମଧ୍ୟରେ ଜାତୀୟତାବୋଧ, ସେବା ମନୋଭାବ ଓ ଦେଶପ୍ରେମର ଭାବନା ଉଦ୍ରେକ ହୋଇଥାଏ । ଆସିକା ଅଞ୍ଚଳର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ କଲେଜ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନ୍‍ସିସି ସୁବିଧା ପ୍ରଦାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଆସିକା ଆଥ୍‍ଲେଟିକ୍‍ ଏସୋସିଏସନ୍‍ ଟାଉନ୍‍ହଲର ସଂପାଦକ ଏମ୍‍.ତାରିଣୀ ସେନାପତି ଓ ଅବସରପ୍ରାପ୍ତ ସେନା କର୍ମଚାରୀ ଦେବେନ୍ଦ୍ର ନାଥ ବେହେରା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ