ଦରବୃଦ୍ଧି ନିୟନ୍ତ୍ରଣ, ଜଳକର ଛାଡ଼, ଚାଷୀଙ୍କୁ ଋଣ ଛାଡ଼ ୧୧ ଦଫା ଦାବି ନେଇ ଗଣ ଧାରଣା
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଦର ବୃଦ୍ଧି, ଋଣ, ପାଣି, ପେନସନ୍ ଓ ବିଜୁଳି – ଏହି ୫ଟି ସମସ୍ୟାକୁ ନେଇ ମଙ୍ଗଳବାର ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ସମ୍ମୁଖରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଶାଳ ଗଣ ଧାରଣା ଦିଆଯାଇଛି। ଶତାଧିକ ରୁ ଉର୍ଦ୍ଧ ଚାଷୀ ଓ କୃଷକ ଏଥିରେ ସାମିଲ ହୋଇ ସରକାର ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଚାଷୀଙ୍କ ଅଭିଯୋଗ -ସାର, ଔଷଧ, ଡିଜେଲ୍ ଦର ଆକାଶ ଛୁଇଁଲାଣି। କିନ୍ତୁ ଆମ ଧାନ ଓ ପନିପରିବାର ଦର ସେଇଆ ଅଛି। ପେଟ ପୋଷିବା କଷ୍ଟ ହୋଇଗଲାଣି। ଋଣ ବୋଝରେ ଆତ୍ମହତ୍ୟା ବଢୁଛି। ପ୍ରାକୃତିକ ବିପର୍ଯ୍ୟୟ ଠୁ ବଡ ହୋଇପଡିଲାଣି ନୀତିଗତ ବିପର୍ଯ୍ୟୟ। ଧାରଣା ମଣ୍ଡପରୁ ୧୧ ଦଫା ଦାବି ପତ୍ର କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଦିଆଯାଇଛି। ମୁଖ୍ୟ ଦାବି ଗୁଡିକ ହେଲା – ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ସମସ୍ତ ଚାଷୀ ଓ କୃଷି ମୁଲିଆଙ୍କୁ ୬୦ ବର୍ଷ ପରେ ପେନସନ୍, ଭାଗ ଚାଷୀଙ୍କୁ ଆଇନଗତ ଗ୍ୟାରେଣ୍ଟି, ସମ୍ପୂର୍ଣ୍ଣ କୃଷି ଋଣ ଛାଡ୍, ଜଳକର ବନ୍ଦ, ଖରା ଦିନରେ କାକଟପୁର-ଅସ୍ତରଙ୍ଗ କେନାଲରେ ନିୟମିତ ପାଣି ଓ ଚାଷ ପାଇଁ ପ୍ରତି ଚାଷୀଙ୍କୁ ୨ଶହ ୟୁନିଟ୍ ମାଗଣା ବିଜୁଳି। ସିପିଆଇ କାକଟପୁର ଜୋନ ସମ୍ପାଦକ ସୁରେଶ ଚନ୍ଦ୍ର ବିଶ୍ୱାଳ କହିଛନ୍ତି ସରକାର ଚାଷୀଙ୍କୁ ଠକୁଛନ୍ତି। ପ୍ରତିଶ୍ରୁତି କେବଳ କାଗଜରେ। ଆମ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ଉଗ୍ର ହେବ। ପୁରୀ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି ଋଣ ବୋଝରେ ଚାଷୀ ମରୁଛନ୍ତି। ସରକାର ତୁରନ୍ତ ଋଣ ଛାଡ୍ କରନ୍ତୁ। କୃଷଜନେତା ଆଶିଷ କାନୁନଗୋ କହିଛନ୍ତି, ପାଣି ଓ ବିଜୁଳି ବିନା ଚାଷ ହେବନି। ସରକାର ୧୫ଦିନ ଭିତରେ ନିଷ୍ପତ୍ତି ନନେଲେ ଜିଲ୍ଲା ଓ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେବ। ଧାରଣା ପରେ ଚାଷୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ବଡ ହେବ। ପ୍ରଶ୍ନ ହେଲା ସରକାର କେବେ ଶୁଣିବେ, ନା ଆଉ ଏକ ଆତ୍ମହତ୍ୟା ପରେ ତଦନ୍ତ କମିଟି ବସିବ।


