ବ୍ୟାଙ୍କ କର୍ମଚାରୀଙ୍କ ଦ୍ଵାରା ଜମାକାରୀଙ୍କ ଟଙ୍କା ଆତ୍ମସାତ ଘଟଣା :ଥାନା ଅଧିକାରୀଙ୍କୁ ଦାବୀପତ୍ର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ମୁଖ୍ୟରାସ୍ତା କଡ଼ରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଜଣେ କିରାଣୀ ବହୁ ସଂଖ୍ୟକ ଜମାକାରୀ ଙ୍କ ୭୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିବାର ୨ ମାସ ବିତିଯାଇଥିଲେ ମଧ୍ୟ ଜମାକାରୀ ଙ୍କ ପ୍ରାପ୍ୟ ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି।ଅନେକ ଜମାକାରୀ ଙ୍କ ସ୍ଥାୟୀ ଜମା ରାଶି ମେଚ୍ୟୁରିଟି ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରାପ୍ୟ ଅର୍ଥରାଶି ପ୍ରଦାନ କରୁନାହାନ୍ତି।ଏନେଇ ସୋମବାର ବିଜେପି ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଜମାକାରୀ ଦିଗପହଣ୍ଡି ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ସାକ୍ଷାତ କରି ଦସ୍ତଖତ ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି।ମଙ୍ଗଳବାର ସୁଦ୍ଧା ଜମା ଟଙ୍କା ନମିଳିଲେ ଜମାକାରୀ ମାନେ ସମ୍ପୃକ୍ତ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଦେବେ ବୋଲି ଦାବୀପତ୍ର ରେ ଉଲ୍ଲେଖ ରହିଛି। ବ୍ୟାଙ୍କ ଶାଖା ପରିଚାଳକ ପି. ପ୍ରଦୀପ କୁମାର ଏହି ଘଟଣାର ଆଭ୍ୟନ୍ତରୀଣ ତଦନ୍ତ କରିବା ପରେ ଘଟଣାରେ ସତ୍ୟତା ଥିବାରୁ ଦିଗପହଣ୍ଡି ଥାନା ରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଗତ ଜୁନ ୨୪ ରେ ମାମଲା ନଂ.୨୩୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପରେ ଏହି ବ୍ୟାଙ୍କ ଠକେଇ ର ମାଷ୍ଟର ମାଇଣ୍ଡ ବ୍ୟାଙ୍କ କିରାଣୀ ଦିଗପହଣ୍ଡି କୋର୍ଟ କଲୋନୀ ର ମୂଳ ବାସିନ୍ଦା ତଥା ଗୋପାଳପୁର ଥାନା ଆମ୍ବପୁଆ ବସନ୍ତ ବିହାର ୪ ର୍ଥ ଲେନ ର ଏସ. ପ୍ରୀୟମ ପ୍ରଥମ ସାବତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଅଭିଯୁକ୍ତ ପ୍ରଥମ ଗତ ୨୦୨୪ ରେ ଏହି ବ୍ୟାଙ୍କ ଶାଖାରେ କନିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ବ୍ୟାଙ୍କ୍ ରେକର୍ଡ଼ , ନୂଆ ଜମାଖାତା ଖୋଲିବା ଏବଂ ବିଭିନ୍ନ ଜମାକାରୀଙ୍କ ଜମା ଖାତାକୁ ଟଙ୍କା ନେଣଦେଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଶାଖା ପରିଚାଳକ ଙ୍କ ଅନୁପସ୍ଥିତିରେ ନିଜକୁ ସହକାରୀ ଶାଖା ପରିଚାଳକ ବୋଲି ଜମାକାରୀ ଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କ ଜମାଖାତାରୁ ଟଙ୍କା ଉଠାଣ କରି ବିଭିନ୍ନ ସନ୍ଦେହଜନକ ବ୍ୟାଙ୍କ ଆକାଉଣ୍ଟ କୁ ଅନଲାଇନ ଟ୍ରାଞ୍ଜେସନ କରି ସେ କିଛିଦିନ ମଧ୍ୟରେ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।ଏନେଇ ବ୍ୟାଙ୍କ ଶାଖା ପରିଚାଳକ ଙ୍କୁ ଯୋଗାଯୋଗ କରିବାରୁ ବ୍ୟାଙ୍କ ମୁଖ୍ୟାଳୟ କୁ ସମସ୍ତ ଘଟଣା ଜଣାଇଦିଆଯାଇଛି। ସେଠାରୁ କିଛି ନିର୍ଦ୍ଦେଶନାମା ଆସିଲେ ହିଁ ସମସ୍ତ ଜମାକାରୀ ଙ୍କ ଅର୍ଥରାଶି ଫେରସ୍ତ କରାଯିବ ବୋଲି କହିଛନ୍ତି।


