ଗଞ୍ଜେଇ ଓ ଅଟୋ ଜବତ : ଚାଳକ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଜପତି ଜିଲ୍ଲାରୁ ପୁରୀ ଅଭିମୁଖେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଦିଗପହଣ୍ଡି ପୁଲିସ ସ୍ଥାନୀୟ ଘୋଡାହାଡ ଡ଼୍ୟାମ ରାସ୍ତାର ନିମପଲ୍ଲୀ ହନୁମାନ ଛକଠାରେ ଏକ ଅଟୋରୁ ୫୬ କେଜି ୨୨୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପୁଲିସ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଭୂଷଣ୍ଡପୁର ଗ୍ରାମର ସୁକାନ୍ତ ମଲ୍ଲିକ (୪୫) ଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଅଟୋ ଜବତ କରିଛି । ଅଭିଯୁକ୍ତ ଜଣକ ବର୍ତ୍ତମାନ ପୁରୀ ମାଟିତୋଟା ସାହି ର ବାସିନ୍ଦା ବୋଲି ଜଣାପଡିଛି। ଦିଗପହଣ୍ଡି ପୁଲିସ ରବିବାର ମଧ୍ୟାହ୍ନ ସାଢେ ୧୨ ଘଣ୍ଟ ସମୟରେ ଘୋଡାହାଡ ଡ଼୍ୟାମ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଗଜପତି ଜିଲ୍ଲା ତମ୍ପା ଗ୍ରାମରୁ ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ରାସ୍ତା ଦେଇ ଅଭିଯୁକ୍ତ ସୁକାନ୍ତ ନିଜ ଅଟୋ ନଂ.( ଓଡି୦୨ ଏ ଏକ୍ସ ୧୪୩୦)ରେ ଦିଗପହଣ୍ଡି ଅଭିମୁଖେ ଆସୁଥିଲା । ଏହି ସମୟରେ ପୁଲିସ ଗାଡ଼ି ଦେଖି ସେ ହଠାତ ଅଟୋ ବୁଲାଇ ଲୁଚି ପଳାଇବାକୁ ଚେଷ୍ଟା କରିବା ସମୟରେ ପୁଲିସ ସନ୍ଦେହ କରି ଅଟୋର ପିଛା କରି ଅଟକାଇବା ସହ ଯାଞ୍ଚ କରିଥିଲା । ସେହି ସମୟରେ ଅଟୋରେ ୫ ଗୋଟି ବସ୍ତାରେ ଗଞ୍ଜେଇ ଥିବା ଜାଣିପାରିଥିଲା । ଏହାପରେ ପୁଲିସ ଅଟୋ ଚାଳକ ସୁକାନ୍ତ ସହ ଗଞ୍ଜେଇ ବୋଝେଇ ଅଟୋକୁ ଜବତ କରି ଥାନାକୁ ଆଣିଥିଲା । ସନ୍ଧ୍ୟାରେ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯିବା ରେ ସେଥିରେ ୫୬ କିଲୋ ୨୨୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଜେରା କରିବା ସମୟରେ ସେ ନିୟମିତ ବ୍ୟବଧାନରେ ଗଜପତି ଜିଲ୍ଲାର ତମ୍ପା ଇଲାକାରୁ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ କରି ପୁରୀ ନେଉଥିବା ସ୍ବୀକାର କରିଥିଲା । ଏନେଇ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କ ଏତଲାକ୍ରମେ ଅଭିଯୁକ୍ତ ସୁକାନ୍ତ ବିରୋଧରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା କେସ୍ ନଂ – ୩୨୪/୨୫ ପ୍ରକାରେ ମାମଲା ରୁଜ୍ଜୁ କରି ସୋମବାର ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ କୋର୍ଟ କୁ ଚାଲାଣ କରିଥିଲେ । ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।


