ସରକାରୀ ଜମିକୁ ହଳ କରି ଧାନତଳି ପକାଇବା ଘଟଣା: ୭ ଜଣଙ୍କୁ ନୋଟିସ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ବଡ଼ରମ୍ପାସ ଆର.ଆଇ. ସର୍କଲର ଧାନଘର ମୌଜାରେ ଥିବା ଏକ ସରକାରୀ ଜମିକୁ କିଛି ଲୋକ ଜୋର ଜବରଦସ୍ତ ହଳ କରି ଧାନ ତଳି ପକାଇବା ଘଟଣାରେ ତହସିଲ ତରଫରୁ ନୋଟିସ ଜାରି କରି ଜବାବ ତଲବ କରାଯାଇଛି l ଏ ନେଇ ତହସିଲଦାର ସଞ୍ଜୟ ସାମନ୍ତରାୟ ସୂଚନା ଦେଇଛନ୍ତି l ଏଥିସହ ତହସିଲଦାର ସାମନ୍ତରାୟଙ୍କ କହିବା ଅନୁସାରେ ଗ୍ରାମବାସୀ ମାନଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ଆର.ଆଇ.ତଦନ୍ତ କରିଥିଲେ l ସରକାରୀ ଜମିର କିସମ ଗୋଚର ଅଟେ l ଏହି ଜମିରେ ହଳ କରାଯାଇ ଧାନ ତଳି ପକାଯାଇଛି l ଓପିଏଲଇ ଆକ୍ଟ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ ଜାରି କରାଯାଇ ଜବାବ ତଲବ ହୋଇଛି l ଉକ୍ତ ଆକ୍ଟ ଅନୁସାରେ ଜରିମାନାର ବ୍ୟବସ୍ଥା ମଧ୍ୟ ଅଛି l ଆରଆଇ ନିବେଦିତା ସାହୁ କହିଛନ୍ତି ଯେ ଓପିଏଲଇ ଆକ୍ଟ ଅନୁସାରେ ମାମଲା କରାଯାଇ ୭ ଜଣଙ୍କୁ ଫର୍ମ ‘କ’ନୋଟିସ ଜାରି ହୋଇଛି l ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ନୋଟିସ ଜାରି ହେବ l ସୂଚନା ଯୋଗ୍ୟ, ଧାନଘର ମୌଜାଟି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠିଙ୍କ ନିଜ ଇଞ୍ଚୋଳ ପଞ୍ଚାୟତ ଅଧୀନରେ ଅଟେ l ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଧାନ ତଳି ପଡ଼ିଥିବା ଜମିଟି ଖେଳ ପଡିଆ ଭାବେ ବ୍ୟବହୃତ ହେଉଥିଲା l ଏହାର ଉନ୍ନତିକରଣ ପାଇଁ ହାଟଡ଼ିହି ବ୍ଲକ ତରଫରୁ ଅନେକ ଥର ପ୍ରକଳ୍ପ ଅନୁମୋଦନ ହୋଇ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଛି l ଏଠାରେ ପିଲାମାନେ ଖେଳା ଖେଳି କରିଥାନ୍ତି। କିନ୍ତୁ କିଛି ମୁଷ୍ଟିମୟ ଲୋକ ମିଶି ଜୋର ଜବରଦସ୍ତ ଖେଳ ପଡ଼ିଆକୁ ହଳ କରି ଧାନତଳି ପକାଇଥିଲେ । ଫଳରେ ଏହି ଜମିର ପୂର୍ବ ଅବସ୍ଥା ଆଉ ଫେରିବନି l ଗ୍ରାମର ବୈଲୋଚନ ରାଉଳ , ଗଣେଶ୍ୱର ରାଉତ, ପଦ୍ମନାଭ ରାଉଳ, ରତ୍ନାକର ରାଉଳ, ସନାତନ ନାୟକ, ପ୍ରମୁଖ ଗ୍ରାମବାସୀ ମାନେ କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ, ହାଟଡିହୀ ତହସିଲଦାରଙ୍କୁ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।


