ଚୋରା ଗଞ୍ଜେଇ ବେପାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି

ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ମରୈଗାଁ ଚୋରା ଗଞ୍ଜେଇ ବ୍ୟବସାୟର ପେଣ୍ଠସ୍ଥଳୀ ଥିବାବେଳେ ଏବେ ସୋସୋ ଥାନା ନାହା ଗ୍ରାମଟି ଗଞ୍ଜେଇ ବେପାରର ଭୂସ୍ବର୍ଗ ପାଲଟିଛି। ବିଭିନ୍ନ ଜିଲା ଓ ରାଜ୍ୟକୁ ଏହାର ଚେର ଲମ୍ବିଛି। ମରୈଗାଁ ଅଞ୍ଚଳ ବ୍ୟବସାୟୀ ମାନେ ପୁଲିସ ନଜରରେ ରହିଥ‌ିବାରୁ ଚୋରା ବେପାରୀ ମାନେ ଏବେ ମୋବାଇଲ ନେଟୱାର୍କରେ ବ୍ୟବସାୟ ଚଳାଇଛନ୍ତି । ନନ୍ଦିପଦା ଥାନା ଅଞ୍ଚଳର କିଛି ବ୍ୟବସାୟୀ ଖୋଲାଖୋଲି ବ୍ୟବସାୟ କରୁଥିଲେ ବି ମୁଖ୍ୟ ଚାଲାଣକାରୀ ଉପରେ ଅବକାରୀ ବିଭାଗ ଓ ପୁଲିସର ନଜର ପଡ଼ୁନାହିଁ। କିନ୍ତୁ ଏବେ ସୋସୋ ଥାନା ନାହା ଅଞ୍ଚଳରେ ଗଞ୍ଜେଇ ବେପାରରେ ପେଣ୍ଠସ୍ଥଳ ପାଲଟିଛି। ଜଣେ ଭଦ୍ର ମୁଖା ଯୁବକ ମୋଟା ଅଙ୍କର ବେପାର କରୁଥିବାବେଳେ ସେ ସହଯୋଗୀଙ୍କ ମାଧ୍ୟମରେ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି। ଅନ୍ୟ ରାଜ୍ୟରୁ ଜଣେ ବେପାରୀ ସେହି ବ୍ୟବସାୟୀଙ୍କ ଘରେ ବହୁ ସମୟ ରହି ନେଟୱାର୍କ କରୁଥିବା ଆଲୋଚନା ହେଉଛି। ଯାହାଦ୍ଵାରା ଅନେକ ଅସାମାଜିକ ଯୁବକଙ୍କ ଭିଡ଼ ଜମୁଛି। ଏନେଇ ପୁଲିସ କିମ୍ବା ଅବକାରୀ ବିଭାଗ ପାଖରେ କୌଣସି ସୂଚନା ରହୁ ନାହିଁ। ହାଟଡିହିରେ ଅବକାରୀ ବିଭାଗ ଖୋଲିବା ପରେ ମଦ, ଗଞ୍ଜେଇ, ଧଳା ଜହର ବ୍ୟବସାୟ କମିବା ଆଶା କରାଯାଇଥିଲା। କିନ୍ତୁ ବିଭାଗଟି ସ୍ଥାଣୁ ପାଲଟିଥିବାରୁ ଏବେ ଗଞ୍ଜେଇ ଓ ମଦର ପସରା ମେଲିଛି। ବାଲେଶ୍ଵର ଓ ଭଦ୍ରକ ଅଞ୍ଚଳରୁ ପ୍ରଚୁର ପରିମାଣର ବ୍ରାଉନସୁଗାର ଆସୁଥିଲେ ବି ଅବକାରୀ ବିଭାଗ କି ପୋଲିସ୍ ସେଥିପ୍ରତି ଦୃଷ୍ଟି ଦେଉନି।  ଅବକାରୀ ବିଭାଗ ଓ ପୋଲିସ ବିଭାଗର ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ